ନୂଆଦିଲ୍ଲୀ,୧୫।୯: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଯଦି ଚିକିତ୍ସା ପରେ ରୋଗୀ ସୁସ୍ଥ ନହୁଏ, ତେବେ ପ୍ରତ୍ୟେକ ଥର ଅବହେଳା ପାଇଁ ଡାକ୍ତରଙ୍କୁ ଦାୟୀ କରାଯାଇପାରିବ ନାହିଁ। ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଉପରେ ଅଭିଯୋଗ କରାଯାଇଥିଲା। ଏହି ମାମଲାର ଶୁଣାଣି ସମୟରେ, ବିଚାରପତି ସଞ୍ଜୟ କୁମାର ଏବଂ ସତୀଶ ଚନ୍ଦ୍ରଙ୍କ ଖଣ୍ଡପୀଠ କହିଛନ୍ତି , ଯଦି ଚିକିତ୍ସା ସମୟରେ ଅସ୍ତ୍ରୋପଚାର ସଫଳ ନହୁଏ କିମ୍ବା ଇଚ୍ଛା ଅନୁସାରେ ଫଳାଫଳ ନମିଳେ ତେବେ ଡାକ୍ତରଙ୍କୁ ଅବହେଳା ପାଇଁ ଦାୟୀ କରାଯାଇପାରିବ ନାହିଁ।

କୋର୍ଟ ମାର୍ଟିନ୍ ଏଫ୍. ଡିସୁଜା ବନାମ ମହମ୍ମଦ ଇଶଫାକଙ୍କ ମାମଲା ନେଇ ଏଭଳି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି , କୌଣସି ବିଜ୍ଞ ବୃତ୍ତିଗତ ଡାକ୍ତର ଜାଣିଶୁଣି ଏପରି କାର୍ଯ୍ୟ କିମ୍ବା ଅବହେଳା କରିବେ ନାହିଁ, ଯାହା ରୋଗୀଙ୍କ କ୍ଷତିର କାରଣ ହେବ, କାରଣ ତାଙ୍କ ପେଶାର ପ୍ରତିଷ୍ଠା ବାଜିରେ ଲାଗିଥାଏ ଏବଂ ତାଙ୍କୁ ଗୋଟିଏ ଭୁଲ ପାଇଁ ମଧ୍ୟ ଭାରୀ ମୂଲ୍ୟ ଦେବାକୁ ପଡ଼ିପାରେ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେତେକ ସମୟରେ, ଯଥା ସମ୍ଭବ ଚେଷ୍ଟା କରିବା ପରେ ମଧ୍ୟ, ଡାକ୍ତରଙ୍କ ଚିକିତ୍ସା ବିଫଳ ହୋଇପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଡାକ୍ତର ଦୋଷୀ। ଯେଉଁ ପର୍ଯ୍ୟନ୍ତ ଏହା ପ୍ରମାଣ କରିବା ପାଇଁ ଠୋସ୍ ପ୍ରମାଣ ନ ଥାଏ ଯେ ଡାକ୍ତର ଅବହେଳା କରିଛନ୍ତି । କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଡାକ୍ତରୀ ବୃତ୍ତି  କିଛି ପରିମାଣରେ ବ୍ୟବସାୟୀକରଣ ହୋଇଯାଇଛି। କିଛି ଡାକ୍ତର ଟଙ୍କା ରୋଜଗାର କରିବା ପାଇଁ ସେମାନଙ୍କର ଶପଥରୁ ଓହରି ଯାଆନ୍ତି କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସମସ୍ତ ଡାକ୍ତର ଦୁର୍ନୀତିଗ୍ରସ୍ତ କିମ୍ବା ଅଯୋଗ୍ୟ।