ନୂଆଦିଲ୍ଲୀ, ୨୧।୫: ଦେଶରେ ବୁଲା କୁକୁରଙ୍କ ବଂଶବୃଦ୍ଧି ଏବଂ ସେମାନଙ୍କ ଦ୍ୱାରା ହେଉଥିବା ବିପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ, କଲେଜ, ହସ୍ପିଟାଲ, ଖେଳ ପଡ଼ିଆ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଭଳି ସଂସ୍ଥାଗତ ତଥା ସୀମିତ ପ୍ରବେଶ ଅନୁମତି ଥିବା ପରିସର ଭିତରେ ମିଳୁଥିବା କୁକୁରମାନଙ୍କୁ ‘ଷ୍ଟ୍ରୀଟ୍ ଡଗ୍’ କିମ୍ବା କମ୍ୟୁନିଟି ଡଗ୍ ବୋଲି ବିବେଚନା କରାଯାଇପାରିବ ନାହିଁ । ଏହା ସହିତ ଏହି ସମ୍ୱେଦନଶୀଳ ସ୍ଥାନଗୁଡ଼ିକରୁ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବା ପରେ, ସେମାନଙ୍କୁ ପୁଣି ସେହି ପରିସର ଭିତରକୁ ଛାଡ଼ିବା ପାଇଁ କୌଣସି ପଶୁ କଲ୍ୟାଣ ସଂଗଠନ ଆଇନଗତ ଦାବି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ପଶୁ କଲ୍ୟାଣ ସଂଗଠନର ଯୁକ୍ତିକୁ ଖାରଜ କଲେ କୋର୍ଟ:

ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । କେତେକ ପଶୁ କଲ୍ୟାଣ ସଂଗଠନ ଏବଂ ସାମାଜିକ କର୍ମୀ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, 'ଏନିମଲ ବାର୍ଥ କଣ୍ଟ୍ରୋଲ' (ABC) ରୁଲ୍ସ, ୨୦୨୩ର ନିୟମ 11 (19) ଅନୁଯାୟୀ, କୁକୁରମାନଙ୍କୁ ଯେଉଁ ଅଞ୍ଚଳରୁ ଧରାଯିବ, ନସବନ୍ଦୀ ଓ ଟୀକାକରଣ ପରେ ପୁନର୍ବାର ସେହି ସ୍ଥାନରେ ହିଁ ଛାଡ଼ିବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଏହି ନିୟମର ମୂଳ ଭାବନା ବିରୋଧୀ ବୋଲି ସେମାନେ ଦର୍ଶାଇଥିଲେ । ତେବେ ମାନ୍ୟବର କୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି । ABC ନିୟମର ସେକ୍ସନ 7(2) ର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ଏହି ନିୟମ ବଳରେ ସବୁ ସ୍ଥାନରେ କୁକୁରମାନଙ୍କୁ ପୁଣି ଛାଡ଼ିବା ପାଇଁ କୌଣସି ଆଇନଗତ ଅଧିକାର ସୃଷ୍ଟି ହେଉନାହିଁ ।

ସମ୍ୱେଦନଶୀଳ ପରିସରରେ ସୁରକ୍ଷା ଜରୁରୀ: ସୁପ୍ରିମକୋର୍ଟ

ଅଦାଲତ ନିଜ ରାୟରେ କହିଛନ୍ତି ଯେ, କୌଣସି ଗେଟେଡ୍ କ୍ୟାମ୍ପସରେ କୁକୁର ରହିବାକୁ ଆଇନଗତ ବୋଲି କୁହାଯାଇପାରିବ ନାହିଁ । ବିଶେଷ କରି ହସ୍ପିଟାଲ, ସ୍କୁଲ, କଲେଜ କିମ୍ବା ଏୟାରପୋର୍ଟ ଭଳି ସମ୍ୱେଦନଶୀଳ ସ୍ଥାନଗୁଡ଼ିକରେ ଛୋଟ ପିଲା, ରୋଗୀ, ବୃଦ୍ଧବୃଦ୍ଧା ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯାତାୟାତ କରିଥାନ୍ତି । ଏଭଳି ସ୍ଥାନରେ ସେମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଏକ ନିୟନ୍ତ୍ରିତ ତଥା ପରିଷ୍କାର ପରିବେଶ ବଜାୟ ରଖିବା ନିହାତି ଆବଶ୍ୟକ । "ପ୍ରିଭେନସନ ଅଫ୍ କ୍ରୁଏଲଟି ଟୁ ଏନିମଲ୍ସ ଆକ୍ଟ, ୧୯୬୦" ରେ 'ଷ୍ଟ୍ରୀଟ୍' ବା ରାସ୍ତାର ଯେଉଁ ସଂଜ୍ଞା ଦିଆଯାଇଛି, ତାହା କେବଳ ସାଧାରଣ ସଡ଼କ, ଗଳି ଏବଂ ସର୍ବସାଧାରଣ ରାସ୍ତା ପାଇଁ ପ୍ରଯୁଜ୍ୟ । ଯଦି ଏହାର ଓଲଟା ଅର୍ଥ ବାହାର କରାଯାଏ, ତେବେ ପ୍ରଶାସନିକ ସଂସ୍ଥାଗୁଡ଼ିକ ସଂବେଦନଶୀଳ ତଥା ହାଇ-ରିସ୍କ ଅଞ୍ଚଳରେ ଜୀବଜନ୍ତୁଙ୍କ ପ୍ରବେଶ ରୋକିବାରେ ଅସହାୟ ହୋଇପଡ଼ିବେ । ABC ନିୟମର ମୂଳ ଉଦ୍ଦେଶ୍ୟ ହେଉଛି କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ, ପରିଚାଳନା ଓ ଟୀକାକରଣ କରିବା, ସେମାନଙ୍କୁ ସବୁ ସ୍ଥାନରେ ସ୍ଥାୟୀ ଭାବେ ରହିବାର ଅଧିକାର ଦେବା ନୁହେଁ ।

​​​​​​​

ଲ' କଲେଜକୁ ସର୍ତ୍ତମୂଳକ ଛାଡ଼: କୁକୁରଙ୍କୁ ଖାଇବାକୁ ଦେଲେ ନେବାକୁ ହେବ ଆଇନଗତ ଦାୟିତ୍ୱ

ଏହି ଶୁଣାଣି ସମୟରେ ହାଇଦ୍ରାବାଦର ପ୍ରସିଦ୍ଧ 'ନାଲସାର୍ ୟୁନିଭର୍ସିଟି ଅଫ୍ ଲ'' ମାମଲା ସାମ୍ନାକୁ ଆସିଥିଲା । ଏହା ଉପରେ କୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ପରିସରରେ କୌଣସି ପଶୁ କଲ୍ୟାଣ ସଂଗଠନ କିମ୍ବା ଛାତ୍ର ସଂଗଠନ କୁକୁରମାନଙ୍କୁ ସେତେବେଳେ ହିଁ ଖାଇବାକୁ ଦେଇପାରିବେ ବା ସେମାନଙ୍କ ରକ୍ଷଣାବେକ୍ଷଣ କରିପାରିବେ, ଯଦି ସେମାନେ କୌଣସି ଅପ୍ରୀତିକର ପରିସ୍ଥିତି ବା ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ଆଇନଗତ ଦାୟିତ୍ୱ ନେବାକୁ ପ୍ରସ୍ତୁତ ରହିବେ । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ମାନବ ସୁରକ୍ଷାକୁ ବାଦ୍ ଦେଇ କେବଳ ପଶୁ ସଂରକ୍ଷଣର ଦାବି କରାଯାଇପାରିବ ନାହିଁ । ଯଦି କୌଣସି ସଂଗଠନ କ୍ୟାମ୍ପସ ଭିତରେ କୁକୁରଙ୍କୁ ଖାଇବାକୁ ଦିଆଯାଉଛି, ତେବେ ସମ୍ପୃକ୍ତ ସଂସ୍ଥାକୁ ଆଫିଡେଭିଟ୍ ଦେଇ ଏହାର ସମସ୍ତ ଆଇନଗତ ଦାୟିତ୍ୱ ସ୍ୱୀକାର କରିବାକୁ ହେବ । ଅନ୍ୟଥା ସେମାନଙ୍କୁ କ୍ୟାମ୍ପସ ମଧ୍ୟରେ କୁକୁର ରଖିବା ବା ଖାଇବାକୁ ଦେବାର ଅନୁମତି ମିଳିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ସ୍କୁଲ, କଲେଜ ଏବଂ ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବୁଲା କୁକୁର ମୁକ୍ତ କରିବା ପାଇଁ ପ୍ରଶାସନ ପାଇଁ ରାସ୍ତା ସହଜ ହୋଇଯାଇଛି ।

ଆହୁରି ପଢ଼ନ୍ତୁ... Ministers Meeting: ଆଜି ମନ୍ତ୍ରୀ ପରିଷଦ ବୈଠକ କରିବେ ମୋଦି, ସବୁ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ