ନୂଆଦିଲ୍ଲୀ, ୨୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ନ ୪ଟାରେ ଦିଲ୍ଲୀର ସେବାତୀର୍ଥଠାରେ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ବୈଠକରେ ଯୋଗଦେବା ଲାଗି ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ କୁହାଯାଇଛି । ମୋଦି ବିଦେଶ ଗସ୍ତରୁ ଫେରିବା କ୍ଷଣି ଏହି ବୈଠକ ବସିବ । ଏଥିରେ କେନ୍ଦ୍ର କ୍ୟାବିନେଟର ସମସ୍ତ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀମାନେ ଯୋଗ ଦେବେ ।
ବୈଠକରେ ପଶ୍ଚିମ ଏସିଆ ସଙ୍କଟ ଏବଂ ଭାରତ ଉପରେ ପଡ଼ିଥିବା ଏହାର ଅର୍ଥନୈତିକ ପ୍ରଭାବ ଉପରେ ଆଲୋଚନା ହୋଇପାରେ । ସେହିପରି ଦେଶରେ ତୈଳ ଦର, ଇନ୍ଧନ ଯୋଗାଣ ଶୃଙ୍ଖଳ, ଦରଦାମ୍ ବୃଦ୍ଧି, କୃଷି, ପରିବହନ ବ୍ୟବସ୍ଥା, ବିମାନ ଚଳାଚଳ ସହ ଜଡ଼ିତ ସମସ୍ୟା ଉପରେ ଚର୍ଚ୍ଚା ହୋଇପାରେ । ଏଥିସହ ଏହାର ମୁକାବିଲା ଲାଗି ଭବିଷ୍ୟତର ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇପାରେ । ଅନ୍ୟପକ୍ଷରେ ଆସନ୍ତା ଜୁନ୍ ୧୦ରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂର୍ବରୁ କ୍ୟାବିନେଟ ସମ୍ପ୍ରସାରଣ ଏବଂ ଅଦଳବଦଳ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହି ବୈଠକର ରାଜନୈତିକ ଗୁରୁତ୍ୱ ବଢ଼ିଛି । ୪ଟି ପ୍ରମୁଖ ଦିଗକୁ ଆଧାର କରି ଏହି ସମୀକ୍ଷା ହେବା ନେଇ ଆଶା କରାଯାଉଛି । ଏହି ୪ଟି ପ୍ରମୁଖ ଦିଗ ମଧ୍ୟରେ ବ୍ୟବସ୍ଥାପିକା ପରିବର୍ତ୍ତନ, ନିୟମରେ ସରଳତା, ନୀତିଗତ ସଂସ୍କାର ଏବଂ ପ୍ରଶାସନିକ ସୁଧାର ଅନ୍ତର୍ଭୁକ୍ତ । ଏହି ସମୟରେ କୃଷି, ପେଟ୍ରୋଲିୟମ, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ, ଶକ୍ତି ଏବଂ ଆଣବିକ ଶକ୍ତି ସମେତ ପ୍ରାୟ ଡଜନେ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ଉପସ୍ଥାପନା ଦିଆଯାଇପାରେ ।
ଅଧିକ ପଢ଼ନ୍ତୁ :- ୫୯ ବର୍ଷ ପରେ ତାମିଲନାଡୁ ସରକାରକୁ ଫେରିଲା କଂଗ୍ରେସ, ମନ୍ତ୍ରୀ ଭାବରେ ଶପଥ ନେବେ ଦୁଇ ବିଧାୟକ
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟକୁ ସେମାନଙ୍କର କାର୍ଯ୍ୟକୁ ନେଇ ରିପୋର୍ଟ ମାଗିଥିଲେ । ଏହାପରେ ସବୁ ବିଭାଗ ଦ୍ୱାରା ପିଏମ୍ଓକୁ ରିପୋର୍ଟ ପଠାଯାଇଥିଲା । ଏହାଛଡ଼ା ଆଗାମୀ କିଛି ଦିନ ମଧ୍ୟରେ କ୍ୟାବିନେଟ ସମ୍ପ୍ରସାରଣ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାରୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିବ ।