ଭୁବନେଶ୍ୱର ୧୧/୦୧: ସକାଳୁ ଉଠିଲେ କଲରା ଖୋଜେ । ନମିଳିଲେ ଆକୁଳ ହୋଇ ବଲବଲ କରି ଚାହେଁ । କାଳେ କଲରା ମିଳିଯିବ, ସେଥିପାଇଁ ଏପଟସେପଟ ବୁଲେ । କଲରା ମିଳିଲା ପରେ, ଖୁସି ଆଉ ନସରେ । ପିଠା ଖାଇବା ଭଳି କଲରା ଚୋପା ଓ ମଞ୍ଜିକୁ ଚାକୁଚାକୁ କରି ଚୋବାଏ । ଖାଇବା ବେଳେ ଯିଏବି ତାକୁ ଡାକିବ ସେ ଅନାଇବ ନାହିଁ ବରଂ କାନ ତଳକୁ କରିଦେବ । ଏଭଳି ଏକ କଲରା ପ୍ରେମୀ କୁକୁର ହେଉଛି ‘ଡନ୍’ ।

ୟୁନିଟ୍-୮ ନମ୍ବର ଜଳେଶ୍ୱର ଶିବମନ୍ଦିର ପଛପଟେ ରହୁଥିବା ଦିଲ୍ଲୀପ ଓଝାଙ୍କ ପାଳିତ କୁକୁର ହେଉଛି ଡନ୍ । ତା ବୟସ ଏବେ ୧ବର୍ଷ । ଲାବ୍ରାଡର ରେଟ୍ରିଭର୍ସ ପ୍ରଜାତିର ଏହି କୁକୁରଟି ଶ୍ରୀ ଓଝାଙ୍କ ପରିବାରର ଗେହ୍ଲା ପ୍ରାଣୀ । ସାଧାରଣତଃ କୁକୁରମାନେ ମିଠା, ଆମିଷ ଆଦି ଖାଦ୍ୟ ଦେଖିଲେ ଲାଳ ଗଡ଼ାନ୍ତି । ହେଲେ ଆଶ୍ଚର୍ଯ୍ୟର କଥା, ଡନ୍ ପାଚିଲା କଲରା ଖାଇବାକୁ ଭାରି ପସନ୍ଦ କରେ । କେବଳ ଡନ୍ ଖାଇବା ବୋଲି ମାଲିକ ବଜାର ଯାଇ ପାଚିଲା କଲରା ଖୋଜନ୍ତି । ଶ୍ରୀ ଓଝାଙ୍କ କହିବା କଥା, ଡନ୍‌କୁ ପିଲାଟି ବେଳୁ କଲରା ଖାଇବାକୁ ଦିଆଯାଉଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ବି ନେଇଛୁ । କଲରା ଖାଉଥିବାରୁ ତା ଶରୀର ସୁସ୍ଥ ରହୁଥିବା ଜଣାପଡ଼ିଛି । କଲରା ବାଦ୍, ସେ ଭାତ, ଛେନା, ରୁଟି, ଖିର ଆଦି କେବଳ ନିରାମିଷ ଖାଏ । ତାକୁ ଆମିଷ ଦିଆଯାଏନି, ହେଲେ ଆମିଷ ଫ୍ଲେବର୍ ଥିବା ପେଡିଗ୍ରି ଦିଆଯାଉଛି । ସପ୍ତାହକୁ ଡନ୍ ତିନିକିଲୋ ପର୍ଯ୍ୟନ୍ତ ପାଚିଲା କଲରା ଖାଉଥିବା କହିଛନ୍ତି ଶ୍ରୀ ଓଝା