ନୂଆଦିଲ୍ଲୀ,୦୯/୦୮: ଋଷ-ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ । ଖୁବଶୀଘ୍ର ଟ୍ରମ୍ପ ଓ ପୁଟିନ୍ଙ୍କ ମଧ୍ୟରେ ହେବ ସାକ୍ଷାତ । ଅଗଷ୍ଟ ୧୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭେଟିବେ । ଆମେରିକାର ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ବଡ଼ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ୟୁକ୍ରେନ୍- ଋଷ ଯୁଦ୍ଧରେ ସମ୍ଭାବିତ ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଭଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ହେବ ।ଏହା ଦଶନ୍ଧି ମଧ୍ୟରେ ପୁଟିନଙ୍କ ପ୍ରଥମ ଆମେରିକା ଗସ୍ତ ହେବ । ଏହା ପୂର୍ବରୁ ସେ ସେପ୍ଟେମ୍ବର ୨୦୧୫ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ପରିଷଦ ସମୟରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ । ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍ ।
କଣ କହିଲେ ଟ୍ରମ୍ପ ? ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଟ୍ରମ୍ପ କହିଛନ୍ତି, ଏହାପୂର୍ବରୁ ସାକ୍ଷତ ହୋଇପାରିଥାନ୍ତାକିନ୍ତୁ "ଦୁର୍ଭାଗ୍ୟବଶତଃ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡୁଛି" ଯାହା ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ମୋର ବହୁ ପ୍ରତୀକ୍ଷିତ ବୈଠକ ଆସନ୍ତା ଅଗଷ୍ଟ ୧୫ ରେ ଆଲାସ୍କାରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ଅଧିକ ସୂଚନା ପ୍ରଦାନ କରାଯିବ। ଅଗଷ୍ଟ ୧୫ରେ ପୁନିଟ୍ଙ୍କୁ ଭେଟିବା ନେଇ ତାରିଖ ଏବଂ ସ୍ଥାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି ଟ୍ରମ୍ପ ।
କଣ ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ? ଏହା ପୂର୍ବରୁ ୨୦୨୧ ମସିହାରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଜେନେଭାରେ ପୁଟିନ୍ଙ୍କୁ ଭେଟିଥିଲେ। ସେତେବେଳେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ନଥିଲା। କିନ୍ତୁ ୧୫ ଅଗଷ୍ଟରେ ହେବାକୁ ଥିବା ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହା ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସରେ ସଫଳତା ହୋଇପାରେ, କିନ୍ତୁ ଏହା ଯୁଦ୍ଧ ବନ୍ଦ କରିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ଋଷ ଏବଂ ୟୁକ୍ରେନ ନିଜସ୍ୱ ସର୍ତ୍ତ ରଖିଛନ୍ତି ଏବଂ ସେଗୁଡ଼ିକ ଉପରେ ସହମତିରେ ପହଞ୍ଚିବା ସହଜ ନୁହେଁ ।
ଋଷ-ୟୁକ୍ରେନ ଶାନ୍ତି ଚୁକ୍ତି କିପରି ରହିବ ? ଡୋନାଲ୍ଡ ଟ୍ରମ୍ପ ଋଷ ଏବଂ ୟୁକ୍ରେନ ମଧ୍ୟରେ ତାଙ୍କର ଶାନ୍ତି ଚୁକ୍ତି ବିଷୟରେ କିଛି ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ, ଶାନ୍ତି ଚୁକ୍ତିର ଅର୍ଥ ହୁଏତ ୟୁକ୍ରେନ ଏବଂ ଋଷ ମଧ୍ୟରେ କିଛି ଅଞ୍ଚଳ ଅଦଳବଦଳ ହୋଇପାରେ । "ଆମେ କିଛି ଫେରି ପାଇବାକୁ ଏବଂ କିଛି ବଦଳାଇବାକୁ ଚେଷ୍ଟା କରୁଛୁ । ଏହା ଜଟିଳ," ଟ୍ରମ୍ପ କହିଛନ୍ତି ।
ହ୍ୱାଇଟ୍ ହାଉସରେ ଗଣମାଧ୍ୟମକୁ କହିଛନ୍ତି, "କିଛି ସହଜ ନୁହେଁ। କିନ୍ତୁ ଆମେ କିଛି ଫେରି ପାଇବୁ। ଆମେ କିଛି ଅଞ୍ଚଳ ଅଦଳବଦଳ କରିବୁ। ଉଭୟଙ୍କ ସ୍ୱାର୍ଥ ପାଇଁ କିଛି ଅଞ୍ଚଳ ଅଦଳବଦଳ ହେବ ।'' ଖବର ମିଳିଛି କି ଋଷ ଯେଉଁ ୪ଟି ଅଞ୍ଚଳ ଦଖଲ କରିଛି ବୋଲି ଦାବି କରୁଛି ତାହା ବାହାରେ ତା'ର ନିୟନ୍ତ୍ରଣାଧୀନ ଅଞ୍ଚଳ ଛାଡିବାକୁ ପ୍ରସ୍ତାବ ଦେଇପାରେ । ଏକ ପ୍ରମୁଖ ଶାନ୍ତି ଚୁକ୍ତି କରିବାର ଏହା ଶେଷ ସୁଯୋଗ କି ବୋଲି ପଚରାଯିବାରୁ, ଟ୍ରମ୍ପ କହିଥିଲେ, "ମୁଁ ଶେଷ ସୁଯୋଗ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରେ ନାହିଁ । "ଯେତେବେଳେ ବନ୍ଧୁକ ଗୁଳି ଚଳାଇବା ଆରମ୍ଭ କରେ, ସେମାନଙ୍କୁ ଅଟକାଇବା ବହୁତ କଷ୍ଟକର ।"
୨୦୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବାକୁ ୩ ଥର ପ୍ରତ୍ୟକ୍ଷ ଆଲୋଚନା ହୋଇଛି । ହେଲେ କୌଣସି ସଫଳତା ମିଳିନାହିଁ । ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଲକ୍ଷ ଲକ୍ଷ ବାସହରା ହୋଇଛନ୍ତି । ପଶ୍ଚିମ ଦେଶ ଏବଂ ୟୁକ୍ରେନ୍ର ବାରମ୍ବାର ଅପିଲ୍ ପରେ ବି ଋଷ ଏଯାବତ ଯୁଦ୍ଧବିରାମ ପାଇଁ ପ୍ରସ୍ତୁତ ହୋଇନାହିଁ । ଆଗାମୀ ବୈଠକ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞଙ୍କ କହିବାକୁ ଅନୁସାରେ ଏହା କେବଳ ଯୁଦ୍ଧର ଦିଗ ବଦଳାଇବ ନାହିଁ ବରଂ ଆମେରିକା-ଋଷ ସମ୍ପର୍କରେ ମଧ୍ୟ ନୂଆ ମୋଡ଼ର ଆରମ୍ଭ କରିପାରେ ।