ନୂଆଦିଲ୍ଲୀ,୧୧।୯:  ଗତ ଦୁଇ ବର୍ଷ ଧରି ଗାଜାରେ ହମାସ ଓ ଇସ୍ରାଏଲ ଭିତରେ ଜାରି ଯୁଦ୍ଧ ପୂର୍ବରୁ ହିଁ ବହୁ ଦେଶକୁ ପହଁଞ୍ଚି ସାରିଛି। ଲେବାନନ୍, ଇରାନ ଭଳି ଦେଶ ସହ ଇସ୍ରାଏଲ ସିଧାସଳଖ ଯୁଦ୍ଧରେ ଓହ୍ଲାଇ ସାରିଛି। କିନ୍ତୁ ମଙ୍ଗଳବାର ସେ ଆଶ୍ଚର୍ଯ୍ୟ କରିଦେଇଛି। ଇସ୍ରାଏଲୀ ସେନା କତରର ରାଜଧାନୀ ଦୋହା ଉପରେ ଆକ୍ରମଣ କରିଛି। ସେପଟେ ରବିବାର ଓ ସୋମବାର  କତର ଇସଲାମିକ୍ ଓ ଅରବ ଦେଶର ସମ୍ମିଳନୀ ଡକାଇଛି। ଏହି ସମ୍ମିଳନୀରେ ଇସ୍ରାଏଲ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ସ୍ଥିତି ନେଇ ଚର୍ଚ୍ଚା  ହେବ।

ଏହା ଭିତରେ ଖବର ମିଳିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଇସ୍ରାଏଲର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ‘ଆକ୍ସିଓସ୍’ର ସୁତ୍ର ଅନୁସାରେ, ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ଟ୍ରମ୍ପ ଫୋନ୍ କରି କହିଥିଲେ ଏଭଳି କାର୍ଯ୍ୟକଳାପ ଯେପରି ଦ୍ବିତୀୟ ଥର ନହୁଏ। ଏହାକୁ ବରଦାସ୍ତ କରାଯିବନି।  

ତେବେ କଥା ଏତିକିରେ ସରିନଥିଲା। ଟ୍ରମ୍ପଙ୍କ ଅସନ୍ତୋଷ ଓ ମୁସଲମାନ ଦେଶର ବିରୋଧ ପରେ କିନ୍ତୁ ନେତନ୍ୟାହୁ ନିଜ ଜିଦ୍‌ରେ ଅଟଳ। ସେ ପୁଣିଥରେ କହିଛନ୍ତି, କତର ସମେତ ଆତଙ୍କବାଦୀଙ୍କୁ ପାଳୁଥିବା ଦେଶ ଉପରେ ଆମେ ଆକ୍ରମଣ କରିବାକୁ ପଛାଇବୁ ନାହିଁ। ସେ କତରକୁ ସିଧା ଓ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦୀଙ୍କୁ ବାହାର କର, ନଚେତ ଆମର ଆକ୍ରମଣ ପାଇଁ ପ୍ରସ୍ତୁତ ରହୁ। ପୁଣିଥରେ ଇସ୍ରାଏଲୀ ସେନା ଆକ୍ରମଣ କରିବାକୁ ଯାଉଛି।