ନୂଆଦିଲ୍ଲୀ, ୫।୧: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରେ ଏବେ କାହା ପାଳି ? ଆମେରିକା ଟାର୍ଗେଟ୍ରେ ଏବେ କିଏ ? ଆମେରିକା ଭେନେଜୁଏଲା ଉପରେ ସାମରିକ ଆକ୍ରମଣ ଆରମ୍ଭ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ନିଜ ଦେଶକୁ ଉଠାଇ ଆଣିଛି । ଉଭୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାରା ବିଶ୍ୱ ଆମେରିକାର ଏଭଳି କାର୍ଯ୍ୟକୁ ସମାଲୋଚନା କରୁଛି । କିନ୍ତୁ, ଟ୍ରମ୍ପ ଚୁପ୍ ବସି ନାହାନ୍ତି । ଟ୍ରମ୍ପ ଭେନେଜୁଏଲାକୁ ଧମକ ଦେଇଛନ୍ତି ଯେ, ଯଦି ଦେଶର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ସଠିକ୍ ଭାବରେ କାର୍ଯ୍ୟ ନ କରନ୍ତି, ତେବେ ମାଦୁରୋଙ୍କୁ ଭାରୀ ମୂଲ୍ୟ ଦେବାକୁ ପଡ଼ିପାରେ । ଭେନେଜୁଏଲା ଉପରେ ପୁଣି ଆକ୍ରମଣ ହୋଇପାରେ । କହିରଖୁଛୁ ଯେ, ଟ୍ରମ୍ପଙ୍କ ଆକ୍ରମଣ ଧମକ କେବଳ ଭେନେଜୁଏଲାରେ ସୀମିତ ନୁହେଁ । ସେ ଏକକାଳୀନ କଲମ୍ବିଆ, କ୍ୟୁବା, ଇରାନ, ଗ୍ରୀନଲ୍ୟାଣ୍ଡ ଏବଂ ମେକ୍ସିକୋକୁ ମଧ୍ୟ ଧମକ ଦେଇଛନ୍ତି । ତେବେ ଏହି ୫ଟି ଦେଶକୁ ଟ୍ରମ୍ପ କାହିଁକି ଟାର୍ଗେଟ୍ କରିଛନ୍ତି ?
କଲମ୍ବିଆ:
ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ, "କଲମ୍ବିଆ ଏବେ ଅସୁସ୍ଥ ଅଛି ଏବଂ ଏଥିପାଇଁ ଆମେରିକାର ସମର୍ଥନ ଆବଶ୍ୟକ । କଲମ୍ବିଆ ଜଣେ ଅସୁସ୍ଥ ବ୍ୟକ୍ତି ଦ୍ୱାରା ପରିଚାଳିତ ଯିଏ କୋକେନ୍ ତିଆରି କରି ଆମେରିକାକୁ ବିକ୍ରୟ କରିବାକୁ ଭଲ ପାଆନ୍ତି ଏବଂ ସେ ଏହା ବହୁତ ଦିନ ପର୍ଯ୍ୟନ୍ତ କରିବେ ନାହିଁ।" ଯେତେବେଳେ ସାମ୍ବାଦିକମାନେ ଏହାର ଅର୍ଥ ପଚାରିଲେ ଯେ, ଟ୍ରମ୍ପ କହିଲେ ଏହାର ଅର୍ଥ ହେଉଛି ଆମେରିକୀୟ ସେନା ଏହାର ଅଭିଯାନରେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଟାର୍ଗେଟ୍ କରିପାରିବ ।"
ମେକ୍ସିକୋ:
ଟ୍ରମ୍ପ ବିମାନରେ କହିଥିଲେ ଯେ, ପଡ଼ୋଶୀ ଦେଶ ମେକ୍ସିକୋ ବିଷୟରେ ମଧ୍ୟ କିଛି କରିବାକୁ ପଡ଼ିବ । ଆମେରିକା ମେକ୍ସିକୋ ଉପରେ ନିଶା କାରବାର ଏବଂ ଅବୈଧ ପ୍ରବାସୀ ପଠାଇବାର ଅଭିଯୋଗ ଆଣିଛି । ଟ୍ରମ୍ପ କହିଛନ୍ତି, ସେ ବାରମ୍ବାର ମେକ୍ସିକୋକୁ ଆମେରିକୀୟ ସୈନ୍ୟ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି । ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଚିନ୍ତିତ ଓ ଟିକେ ଭୟଭୀତ ଅଛନ୍ତି ।
କ୍ୟୁବା:
ଟ୍ରମ୍ପଙ୍କ ଟାର୍ଗେଟରେ ଲାଟିନ୍ ଆମେରିକୀୟ ଦେଶ କ୍ୟୁବା । ଏୟାର ଫୋର୍ସ ୱାନରେ ଟ୍ରମ୍ପ ଦାବି କରିଥିଲେ ଯେ, "କ୍ୟୁବାର ଭୟଙ୍କର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭେନେଜୁଏଲା ପରି ସମାନ ଅଭିଯାନ ଆବଶ୍ୟକ ହେବ ନାହିଁ । ସେଠାକାର ସରକାର ନିଜେ ଭୁଶୁଡ଼ି ପଡ଼ିବ । ଏପରି ଦେଖାଯାଉଛି ଯେ, କ୍ୟୁବା ପତନର ଦ୍ୱାରଦେଶରେ ଅଛି । ମୁଁ ଜାଣିନାହିଁ ଯେ ସେମାନେ କିପରି ବଞ୍ଚିବେ, ସେମାନଙ୍କର କୌଣସି ଆୟ ନାହିଁ । ଭେନେଜୁଏଲାରୁ ଆସୁଥିବା ତେଲରୁ ସେମାନଙ୍କର ଆୟର ଉତ୍ସ ।"
ଇରାନ:
ଯଦି ଇରାନ ସେଠାରେ ଚାଲିଥିବା ପ୍ରତିବାଦକୁ ଦମନ କରିବାକୁ ହିଂସା ବ୍ୟବହାର କରେ, ତେବେ ଟ୍ରମ୍ପ ତାଙ୍କୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି । ଟ୍ରମ୍ପ ଏୟାର ଫୋର୍ସ ୱାନରେ ଏହି ମନ୍ତବ୍ୟ ଦେଇଛନ୍ତି । ଇରାନରେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ରିପୋର୍ଟ ପରେ, ଟ୍ରମ୍ପ ପୂର୍ବରୁ କହିଥିଲେ ଯେ, ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଇରାନୀ ଅଧିକାରୀଙ୍କ ଦ୍ୱାରା ଘାତକ ଶକ୍ତି ବ୍ୟବହାର ବିରୁଦ୍ଧରେ ଟ୍ରମ୍ପ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, "ଯଦି ସେମାନେ ପୂର୍ବ ପରି ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି, ତେବେ ମୁଁ ଭାବୁଛି ସେମାନଙ୍କୁ ବହୁତ ବଡ଼ ପରିଣାମ ଭୋଗିବାକୁ ପଡ଼ିବ ।"
ଗ୍ରୀନ୍ଲ୍ୟାଣ୍ଡ:
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଆମେରିକାକୁ ଗ୍ରୀନଲ୍ୟାଣ୍ଡର ଆବଶ୍ୟକତା ଅଛି । ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଆର୍କଟିକ୍ ଅଞ୍ଚଳରେ ରୁଷ୍ ଏବଂ ଚୀନର ବଢ଼ୁଥିବା ଉପସ୍ଥିତି ଯୋଗୁଁ ଗ୍ରୀନଲ୍ୟାଣ୍ଡ ଆମେରିକାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଗ୍ରୀନଲ୍ୟାଣ୍ଡ ସବୁଠି ରୁଷ୍ ଏବଂ ଚୀନ୍ ଜାହାଜ ଦ୍ୱାରା ଘେରି ରହିଛି । ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଆମକୁ ଗ୍ରୀନଲ୍ୟାଣ୍ଡର ଆବଶ୍ୟକତା ଅଛି, ଏବଂ ଡେନମାର୍କ ତାହା କରିପାରିବ ନାହିଁ ।"