ନୂଆଦିଲ୍ଲୀ,୦୭/୧୧:  ହ୍ୱାଇଟ୍‌ ହାଉସ୍‌ ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଦଖଲରେ । ତମାମ ପ୍ରତିକୂଳ ସ୍ଥିତିରେ ବଳ ଜୁଟାଇ ନିଜ ଟାଣପଣିଆର ପ୍ରମାଣ ଦେଇଛନ୍ତି ଟ୍ରମ୍ପ୍‌ । ଏଥର ସେ କେବଳ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିନାହାନ୍ତି । ବରଂ ଜଣେ ଶକ୍ତିଶାଳୀ ରିପବ୍ଲିକାନ୍‌ ଭାବେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ତେବେ ଆପଣ ଜାଣନ୍ତି କି ଟ୍ରମ୍ପଙ୍କ କେତେ ସମ୍ପତିର ମାଲିକ। ଆସନ୍ତୁ ଜାଣିବା ।  ବଡ଼ ଭାଇ ଫ୍ରେଡ୍‌ ଜୁନିଅର ପିତାଙ୍କ ବ୍ୟବସାୟ ସମ୍ଭାଳିବାକୁ ମନା କରିବାରୁ ପିତାଙ୍କ କଂପାନିରେ ଯୋଗ ଦେଇଥିଲେ ଟ୍ରମ୍ପ । ନ୍ୟୁୟର୍କରେ ହାଉସିଂ ପ୍ରୋଜେକ୍ଟରେ ପିତାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ସେ । 

ପରେ ହାଉସିଂ ପ୍ରୋଜେକ୍ଟ ସହିତ ବିଳାସବହୁଳ ହୋଟେଲ୍‌, କ୍ୟାସିନୋ ଓ ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣକୁ ଫୋକସ୍‌ କରିଥିଲେ । ୧୯୮୩ରେ ନ୍ୟୁୟର୍କ ସିଟିରେ ୫୮ ମହଲା ଘର ‘ଟ୍ରମ୍ପ ଟାୱାର’ର ନିର୍ମାଣ କରାଇଥିଲେ ସେ । ୨୦୦୪ରେ ଏକ ଟିଭି ରିଆଲିଟି ଶୋ ‘ଦ ଆପ୍ରେଣ୍ଟିସ’କୁ ସେ ହୋଷ୍ଟ କରିଥିଲେ । କିଛି ହଲିଉଡ୍‌ ଫିଲ୍ମ ଓ ସିରିଜ୍‌ରେ ସେ ଅଭିନୟ ବି କରିଛନ୍ତି । ଫୋର୍ବସ ଅନୁସାରେ ଡୋନାଲ୍ଡ ଟ୍ରମ୍ପଙ୍କ ମୋଟ ସମ୍ପତ୍ତିର ପରିମାଣ ଭାରତୀୟ ମୁଦ୍ରାରେ ୫୫,୫୧୯ କୋଟି ଟଙ୍କା ହେବ । ତେବେ ବ୍ଲୁମବର୍ଗର ରିପୋର୍ଟରେ ତାଙ୍କର ସମ୍ପତ୍ତିକୁ ସାମାନ୍ୟ ଅଧିକ ଦେଖାଯାଇଛି । ବ୍ଲୁମବର୍ଗ ତାଙ୍କର ମୋଟ ସମ୍ପତ୍ତି ୫୯,୬୨୨ କୋଟି ହେବ ବୋଲି ଆକଳନ କରିଛି ।