ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟଙ୍କର ପ୍ରବେଶ ହୋଇଛି। ଭାରତୀୟ ବଂଶୋଦ୍ଭବ ହରମିତ ଢିଲ୍ଲୋନଙ୍କୁ ଆଇନ ବିଭାଗରେ ନାଗରିକ ଅଧିକାର ଗୁଡ଼ିକ ପାଇଁ ଆସିଷ୍ଟାଣ୍ଟ ଅଟର୍ଣ୍ଣି ଜେନେରାଲ ଭାବେ ଚୟନ ହୋଇଛନ୍ତି। ସୋମବାର ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ହରମିତ ଢିଲ୍ଲୋନ୍‌ଙ୍କୁ ଏହି ଦାୟିତ୍ୱ ଦେଇ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଡା.ଜୟ ଭଟ୍ଟାଚାର୍ଯ୍ୟ , ବିବେକ ରାମାସ୍ୱାମୀ ଓ କାଶ ପଟେଲଙ୍କୁ ନିଜର୦ କ୍ୟାବିନେଟ୍‌ର ସଦସ୍ୟ ହେବାରେ ଘୋଷଣା କରି ସାରିଛନ୍ତି। ଏହି ତାଲିକାରେ ଏବେ ହରମିତ ଢିଲ୍ଲୋନ୍‌ଙ୍କର ନାଁ ମଧ୍ୟ ଯୋଡ଼ି ହୋଇ ଯାଇଛି। 

ଟ୍ରମ୍ପ ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ହରମିତ ଦେଶର ବରିଷ୍ଠ ନିର୍ବାଚନ ଓକିଲଙ୍କ ମଧ୍ୟରେ ଜଣେ , ଯିଏକି ଏହା ସୁନିଶ୍ଚିତ କରିବା ପାଇଁ ଲଢୁଛନ୍ତି ଭୋଟର ଗଣତି ଆଇନ ଉପାୟରେ କରାଯାଉ। ହରମିତ ଶିଖ୍‌ ଧାର୍ମିକ ସଂପ୍ରଦାୟର ଜଣେ ସମ୍ମାନିତ ସଦସ୍ୟ। ହରମିତ ଆମର ସାମ୍ୱିଧାନିକ ଅଧିକାର ଗୁଡ଼ିକର ରକ୍ଷା କରିବେ ଏବଂ ଆମର ନାଗରିକ ଅଧିକାର ଓ ନିର୍ବାଚନ ଆଇନ ଗୁଡ଼ିକୁ ନିରପେକ୍ଷ ଓ ଦୃଢତାରେ ଲାଗୁ କରିବେ। ଜବାବରେ ହରମିତ ଢିଲ୍ଲୋନ କହିଛନ୍ତି ,ଏହି ପଦ ମିଳିବା ତାଙ୍କ ପାଇଁ ସମ୍ମାନର କଥା ଏବଂ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨ ଅପ୍ରେଲ ୧୯୬୯ରେ ଚଣ୍ଡିଗଡ଼ରେ ଜନ୍ମିତ ଢିଲ୍ଲୋନ ଦୁଇ ବର୍ଷ ବୟସରେ ନିଜ ପରିବାର ସହ ଆମେରିକା ଚାଲି ଯାଇ ଥିଲେ। ସେ ଉତ୍ତର କେରୋଲିନାରେ ଏକ ଶିଖ୍‌ ପରିବାରରେ ବଢି ଥିଲେ। ଏହାପରେ ସେ ନ୍ୟୁୟର୍କ ଚାଲି ଯାଇ ଥିଲେ।

ଢିଲ୍ଲୋନ ଡାର୍ଟମାଉଥ୍‌ କଲେଜରୁ କ୍ଲାସିକଲ ଷ୍ଡିଜ୍ ଓ ଇଂରାଜୀରେ ଡିଗ୍ରୀ ଓ ୟୁନିଭର୍ସିଟି ଅଫ୍‌ ଭର୍ଜିନିଆ ସ୍କୁଲ୍‌ ଅଫ୍‌ ଲ’ ରୁ ଜ୍ୟୁରିସ ଡାକ୍ତରର ଉପାଧି ହାସଲ କରିଛନ୍ତି। ସେ ନିଜର କ୍ୟାରିୟର ୟୁଏସ କୋର୍ଟ ଅଫ୍‌ ଅପିଲ୍ସର ଜଜ୍‌ ପଲ୍‌ ଭି ନିମେୟରଙ୍କ ପାଇଁ ଜଣେ ଲ’ କ୍ଲର୍କ ଭାବେ ଆରମ୍ଭ କରି ଥିଲେ ଏବଂ ପରେ ନ୍ୟାୟ ବିଭାଗ, ସିଭିଲ୍‌ ଡିଭିଜନର ସାମ୍ୱିଧାନିକ ଟୋର୍ଟସ୍‌ ସେକ୍ସନରେ କାମ କରିଛନ୍ତି। ଏହାପରେ ସେ ପ୍ରତିଷ୍ଠିତ ଲ ଫାର୍ମ ଗିବ୍ସନ, ଡନ୍‌ ଆଣ୍ଡ କ୍ରଚରରେ ସାମିଲ ହୋଇ ଥିଲେ , ଯେଉଁଠି ସେ ସିଭିଲ କେସ୍‌ , ସାମ୍ୱିଧାନିକ ଆଇନ ଓ ଅପିଲ କେସେସ୍‌ରେ ଅନୁଭବ ପ୍ରାପ୍ତ କରିଛନ୍ତି। ନ୍ୟୁୟର୍କ , ଲଣ୍ଡନ , ସିଲିକନ ଭାଲି ଓ ସାନ୍‌ ଫ୍ରାନ୍ସିସ୍କୋରେ ଅନ୍ତରାଷ୍ଟ୍ରୀୟ ଲ’ ଫାର୍ମ ଗୁଡ଼ିକରେ ଏକ ଦଶକ ଯାଏ କାମ କରିବା ପରେ , ଢିଲ୍ଲୋନ୍‌ ୨୦୦୬ରେ ନିଜର ଲ ଫାର୍ମ , ଢିଲ୍ଲୋନ ଲ ଗ୍ରୁପ୍‌ର ସ୍ଥାପନା କରିଛନ୍ତି। ଢିଲ୍ଲୋନ କମର୍ସିଆଲ କେସ୍‌ , ରୋଜଗାର ଆଇନ୍‌ ଓ ନିର୍ବାଚନ ସହିତ ଆଇନର ଅନେକ ପ୍ରମୁଖ କ୍ଷେତ୍ରରେ ବିଶେଷଜ୍ଞ ଅଛନ୍ତି।