ନୂଆଦିଲ୍ଲୀ, ୦୭/୦୮ : ଏବେ କମ୍ପ୍ୟୁଟର ଚିପ୍ସ ଓ ସେମିକଣ୍ଡକ୍ଟର ଆମଦାନୀ ଉପରେ ୧୦୦% ଟାରିଫ୍ ଲଗାଇବେ ଡୋନାଲ୍ଡ ଟ୍ରମ୍ପ। ଚୀନ ସମେତ ୩ ଦେଶଙ୍କୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ, ସେ ୧୦୦% ଟାରିଫ୍ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ଵାରା ଆମେରିକାରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଘରୋଇ ଉପକରଣ ଏବଂ ଅନ୍ୟ ଆବଶ୍ୟକ ବସ୍ତୁର ଦାମ୍ ବଢିବ। ତେବେ ଆମେରିକାରେ କମ୍ପ୍ୟୁଟର ଚିପ୍ସ ତିଆରି କରୁଥିବା କମ୍ପାନୀଙ୍କୁ ଏହି ଟାରିଫ୍‌ରୁ ଆଶ୍ଵସ୍ତି ମିଳିବ। କେବଳ ଆମଦାନୀ ଉପରେ ଶୁଳ୍କ ଲାଗିବ। ଆପଲ୍ ସିଇଓ ଟିମ କୁକ୍‌ଙ୍କ ସହ ସାକ୍ଷାତକାର ବେଳେ ଟ୍ରମ୍ପ ଏହା କହିଛନ୍ତି।

ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ଘୋଷଣାର ପ୍ରଭାବ ସିଧାସଳଖ ଭାବେ ଆମେରିକାର ଉପଭୋକ୍ତାଙ୍କ ଉପରେ ପଡ଼ିବ। ମୋବାଇଲ୍ ଫୋନ, କାର୍, ଟିଭି, ଫ୍ରିଜ୍ ଏବଂ ଅନ୍ୟ ଡିଜିଟାଲ୍ ଉପକରଣ ମହଙ୍ଗା ହେବ। କାରଣ ଏହି ସବୁ ଉପକରଣ ତିଆରିରେ କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢିବ। ତେଣୁ ସେମାନେ ମଧ୍ୟ ଏସବୁକୁ ଉଚ୍ଚା ଦରରେ ବିକିବେ। ଏହା ପୂର୍ବରୁ କରୋନା କାଳରେ ଚିପ୍ସର ଅଭାବ ସୃଷ୍ଟି ହୋଇଥିଲା। ଏହି କାରଣରୁ ଗାଡି ଗୁଡ଼ିକର ଦାମ୍ ବଢି ଯାଇଥିଲା। ଏବେ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ପୁଣି ଥରେ ସେହିଭଳି ସ୍ଥିତି ଉପୁଜିପାରେ। 

ବିଶ୍ଵ ସେମିକଣ୍ଡକ୍ଟର ବ୍ୟାପାର ସଙ୍ଗଠନର ସୂଚନା ଅନୁସାରେ ଏବେ କମ୍ପ୍ୟୁଟର ଚିପ୍ସ ଉପରେ ଲୋକଙ୍କ ନିର୍ଭରତା ବଢିଛି। ଜୁନରେ ଏହାର ବିକ୍ରିରେ ୧୯.୬% ବୃଦ୍ଧି ଘଟିଛି। ଆମେରିକା ୨୦୨୪ରେ ପ୍ରାୟ ୪୬.୩ ଅରବ ଡଲାରର ସେମିକଣ୍ଡକ୍ଟର ଆମଦାନୀ କରିଛି। ଏଥିରୁ ଜଣାପଡ଼ୁଛି ଚିପ୍ସ ଆମଦାନୀ ଆମେରିକାର ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରଭାବ ପକାଉଛି। ୧୦୦ ପ୍ରତିଶତ ଟାରିଫ୍ ଲଗାଇ ଟ୍ରମ୍ପ ଏସିଆ ଉପରୁ ଆମେରିକାର ନିର୍ଭରତା କମାଇବାକୁ ଚାହୁଁଛନ୍ତି। ଦୁନିଆର ୭୦ ପ୍ରତିଶତରୁ ଅଧିକ ଚିପ୍ସ ତାଇବାନ, ଦକ୍ଷିଣ କୋରିଆ ଏବଂ ଚୀନରେ ତିଆରି କରାଯାଉଛି। ଏହାଦ୍ଵାରା ଏସିଆ ଦେଶଗୁଡ଼ିକୁ ଜୋରଦାର୍ ଝଟ୍‌କା ଲାଗିବ।