ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିନକୁ ଦିନ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି । ଭାରତ ପରେ ଏବେ ସମଗ୍ର ୟୁରୋପକୁ ଧମକ ଦେଇଛନ୍ତି ଟ୍ରମ୍ପ । ୟୁରୋପ ସହ ଆମେରିକାର ‘ବିଶାଳ ବ୍ୟବସାୟିକ ତାରତମ୍ୟ’ ହ୍ରାସ ନହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି । ୟୁରୋପୀୟ ୟୁନିୟନ ସର୍ବାଧିକ ତୈଳ ଓ ଗ୍ୟାସ୍‌ ଆମେରିକା ପାଖରୁ କ୍ରୟ କରୁ ବୋଲି ଟ୍ରମ୍ପ ଦାବି କରିଛନ୍ତି । ଯଦି ଏଭଳି ନହୁଏ ତେବେ ‘ଟାରିଫ୍‌’ ବଢ଼ାଇବା ନେଇ ସେ ଧମକ ଦେଇଛନ୍ତି । 

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ୍‌’ରେ ପୋଷ୍ଟ କରିଛନ୍ତି ଆମେରିକାର ଆଗାମୀ ରାଷ୍ଟ୍ରପତି । ଟ୍ରମ୍ପ  ଲେଖିଛନ୍ତି, ‘ମୁଁ ୟୁରୋପୀୟ ୟୁନିୟନକୁ କହିଦେଇଛି ସେମାନେ ଆମେରିକା ସହ ଥିବା ବାଣିଜ୍ୟକି ଗ୍ୟାପ୍‌କୁ କମ୍ କରିବେ ଏବଂ ତୈଳ-ଗ୍ୟାସ କ୍ରୟ କରିବେ । ଅନ୍ୟଥା ଟାରିଫର ବିକଳ୍ପ ରହିଛି ।’  ଗତ ଶାସନକାଳରେ ଟ୍ରମ୍ପ କହିଥିଲେ, ଆମେରିକା ପିଠିରେ ୟୁରୋପ ଉପରକୁ ବଢ଼ୁଛି । ଏଥର ସେ କହିଛନ୍ତି, ଯଦି ୟୁରୋପ କୌଣସି ପ୍ରକାର ଯୋଗଦାନ ନଦିଏ ତେବେ ନାଟୋକୁ ଆମେରିକା ଅଧିକ ଫଣ୍ଡ ଦେବନାହିଁ । 

ଆମେରିକା ସରକାରଙ୍କ ତଥ୍ୟ ଅନୁସାରେ, ୨୦୨୨ରେ ୟୁରୋପୀୟ ସଂଘ ସହ ଓ୍ବାଶିଂଟନର ବାଣିଜ୍ୟିକ ପ୍ରଭେଦ ୨୦୨.୫ ବିଲିୟନ୍‌ ଡଲାର । ଅର୍ଥାତ ୟୁରୋପ ପାଖରୁ ଆମେରିକା ଯେତିକି ଆମଦାନୀ କରୁଛି ତାଠୁ ୨୦୨.୫ ବିଲିୟନ୍‌ ଡଲାର କମ୍‌ ରପ୍ତାନୀ କରୁଛି । ଏହି ସମୟ ମଧ୍ୟରେ ଆମେରିକା ୟୁରୋପୀୟ ଦେଶଗୁଡ଼ିକ ପାଖରୁ ୫୫୩.୩ ବିଲିୟନ୍‌ ଡଲାରର ଆମଦାନୀ କରିଥିବା ବେଳେ ୩୫୦.୮ ବିଲିୟନ୍‌ ଡଲାରର ରପ୍ତାନୀ କରିଥିଲା । ତେଣୁ ଏହି ବାଣିଜ୍ୟିକ ଅସମାନତାକୁ ସୁଧାରିବା ଲାଗି ଚାହୁଁଛନ୍ତି ଟ୍ରମ୍ପ । କିନ୍ତୁ ତାଙ୍କର ଏହି ଧମକ ହୁଏତ ଏଥିରେ କୌଣସି ସୁଧାର ନଆଣିପାରେ ବୋଲି କୁହାଯାଉଛି ।