ହମାସ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଗାଜାକୁ ଫେରିଛି ଶାନ୍ତି। କିନ୍ତୁ ବାସ୍ତବରେ ସବୁ କିଛି ଅଲଗା । ଅସ୍ତ୍ରବିରତି ନେଇ ସହମତି ଦେଖାଇ ଥିବା ହମାସ ସମ୍ପୂର୍ଣ୍ଣ ଭାବରେ ଅସ୍ତ୍ର ଛାଡିବାକୁ ମନା କରିଦେଇଛି। ଏହାଛଡା ଗାଜାରେ ୮ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି।ହମାସକୁ ଚେତାବନୀ ଦେଇ ଟ୍ରମ୍ପ ତୁରନ୍ତ ଅସ୍ତ୍ର ଛାଡୁ। ନଚେତ ହିସାଂତ୍ମକ ବାଟରେ ଛଡାଇ ନେବୁ। ହ୍ବାଇଟ ହାଉସରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ହାଭିୟର ମିଲେଇଙ୍କ ସହ ବୈଠକ ବେଳେ ଟ୍ରମ୍ପ ଏହି ବୟାନ ଦେଇଥିଲେ।
ଗତ ସୋମବାର ହମାସର ଏକ ନୂଆ ଭିଡିଓ ସାମନାକୁ ଆସିଛି। ଏଥିରେ କିଛି ଲୋକଙ୍କୁ ହମାସ ଗୁଳିକରି ହତ୍ୟା କରିଛି। ହମାସ ଏହାକୁ ଆଇନ ବ୍ୟବସ୍ଥାରେ ସୁଧାର ବୋଲି କହିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ରବିରତି ଏବଂ ଅସ୍ଥିର କରିବା ଭଳି ପଦକ୍ଷେପ ବୋଲି କହିଛି ଆମେରିକା ଓ ଇସ୍ରାଏଲ। ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ହମାସ କହୁଛି ଅପରାଧୀଙ୍କୁ ହତ୍ୟା କରିଛି। ଏଥିରେ ମୋର କୌଣସି ଆପତ୍ତି ନାହିଁ। ତେବେ ହମାସକୁ ହତିଆର ଛାଡି ଦେବା ଉଚିତ। ଯଦି ଏଭଳି ନକରେ ତେବେ ଆମେ ତାଙ୍କଠାରୁ ହିଂସାତ୍ମକ ବାଟରେ ଛଡାଇବୁ।
ଟ୍ରମ୍ପ କହିଛନ୍ତି ପୂର୍ବରୁ ବି ହମାସକୁ କହିସାରିଛି ଅସ୍ତ୍ର ଛାଡିବାକୁ, ସେମାନେ ଏଥିରେ ରାଜି ହୋଇଛନ୍ତି। ଏବେ ତାହା ନମାନିଲେ ଚରମ ପଦକ୍ଷେପ ନେବୁ। ତେବେ ଟ୍ରମ୍ପ ଏହା ସ୍ପଷ୍ଟ କରିନାହାନ୍ତି ହମାସଠାରୁ କିଭଳି ହତିଆର ଛଡାଇବେ। ଏଥିରେ କିଏ ସାମିଲ ହେବ। ହମାସଠାରୁ ହତିଆର ଛଡାଇବା ଟ୍ରମ୍ପଙ୍କ ୨୦ ସୁତ୍ରୀୟ ଗାଜା ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । କିନ୍ତୁ ପାଲେଷ୍ଟନୀୟ ଗୋଷ୍ଠୀ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପାଇଁ ମନା କରିଦେଇଥିଲା। ଇସ୍ରାଏଲ ଏବଂ ଇଜିପ୍ଟ ଗସ୍ତ ଶେଷ କରିବାର କିଛି ଘଣ୍ଟା ପରେ, ଟ୍ରମ୍ପ ତାଙ୍କର ଗାଜା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା ମଧ୍ୟ କରିଛନ୍ତି। ସେ ଟ୍ରୁଥ୍ ସୋସିଆଲରେ କହିଛନ୍ତି, ପ୍ରତିଶୃତି ଅନୁଯାୟୀ, ମୃତକମାନଙ୍କୁ ଫେରାଇ ଅଣାଯାଇ ନାହିଁ! ଦ୍ୱିତୀୟ ପର୍ଯ୍ୟାୟ ଏବେ ଆରମ୍ଭ ହେଉଛି। ସମସ୍ତ ୨୦ ବନ୍ଧକ ଫେରିଆସିଛନ୍ତି। ଆଶାଠାରୁ ଅଧିକ ଆଶ୍ବସ୍ଥି ଲାଗୁଛି, ଯେମିତି ଗୋଟେ ବଡ଼ ବୋଝ ଚାଲିଗଲା ସେଭଳି ଲାଗୁଛି, କିନ୍ତୁ କାମ ଏବେ ବି ପୁରା ହୋଇନି। ଉଲ୍ଲେଖନୀୟ ଯେ, ଶୁକ୍ରବାର ଗାଜାରେ ଅସ୍ତ୍ରବିରତି ଲାଗୁ କରାଯାଇଛି। ହମାସ ଓ ଇସ୍ରାଏଲ ପକ୍ଷରୁ ହେଉଥିବା ଆକ୍ରମଣ ଥମିଛି। ହମାସ ୨୦ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ସେପେଟ ଇସ୍ରାଏଲ ବି ଶତାଧିକ ପାଲେଷ୍ଟନୀୟ କଏଦୀଙ୍କୁ ଛାଡି। ତେବେ ଏହାପରେ ବି ଚିନ୍ତା ରହିଛି ଯେ, ହମାସ ପୁଣିଥରେ ସକ୍ରିୟ ହୋଇପାରେ।