ଭୁବନେଶ୍ୱର ୧୬/୦୧: ଦୁନିଆର ସବୁ ବାପାମା’ ନିଜ ପିଲାକୁ ଖୁବ୍‌ ଭଲ ପାଇଥାନ୍ତି ।  ତଥାପି ଅନେକ ସମୟରେ ସେମାନେ  ଅନ୍ୟ ପିଲା ସହ ନିଜ ପିଲାର ତୁଳନା  କରିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ ।  ଏପରି କରିବା ଦ୍ୱାରା ଲାଭ କମ୍‌  କ୍ଷତି ଅଧିକ ହୋଇଥାଏ । ପିଲାର ମାନସିକ ସ୍ୱାସ୍ଥ୍ୟବସ୍ଥା ଉପରେ ଏହାର  ନକାରାତ୍ମକ ପ୍ରଭାବ ପଡିଥାଏ । ଏପରିକି ପିଲାର ଆତ୍ମବିଶ୍ୱାସ ମଧ୍ୟ  ଦୋହଲି ଯାଇଥାଏ । 

ଅନ୍ୟ ପିଲା ସହ ତୁଳନା  ନୁହେଁ, ବରଂ କରନ୍ତୁ ଉତ୍ସାହିତ

ପିଲାଙ୍କୁ ମଣିଷ କରି ଗଢିତୋଳିବା  ଆଦୌ ସହଜ ନୁହେଁ । ପ୍ୟାରେଣ୍ଟିଂ  ବିଶେଷଜ୍ଞଙ୍କ କହିବା କଥା ଆଜିକାଲିର  ପିଲାଙ୍କୁ ଠିକ୍‌ ଭାବେ ଗଢି ତୋଳିବା  ପାଇଁ ଅଭିଭାବକଙ୍କୁ ସଚେତନ  ହେବାକୁ ପଡିବ । ଅତୀତର ଏବଂ  ଏବେକାର ଅଭିଭାବିକପଣିଆରେ ବହୁ ପାର୍ଥକ୍ୟ  ରହିଛି । ଅବଶ୍ୟ ଏଥିପାଇଁ ସମସ୍ତଙ୍କର ଦୃଷ୍ଟିକୋଣ  ଭିନ୍ନ । ତଥାପି ପିଲାଙ୍କୁ ମଣିଷ କରିବା ସମୟରେ  କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଖୁବ୍‌  ଜରୁରି । ଯେପରିକି ନିଜ ପିଲାକୁ ଅନ୍ୟ ସହ  ତୁଳନା କରିବା ଅନୁଚିତ୍‌ । 

ତୁଳନା କରିବା କାହିଁକି ଭୁଲ୍‌?

ତୁଳନା କରିବା ଦ୍ୱାରା ପିଲା ଭିତରେ ନକାରାତ୍ମକ  ଚିନ୍ତାଧାରା ବଢିଚାଲେ । କ୍ରମଶଃ ପିଲା ଏକା  ପଡିଯାଇଥାଏ । କାରଣ ତୁଳନା  କରିବା ଦ୍ୱାରା ପିଲା ଭିତରେ ଇର୍ଷା ଉତ୍ପନ୍ନ  ହୋଇଥାଏ । ବାହାର ପିଲା ହୁଅନ୍ତୁ ଅବା ଭାଇଭଉଣୀ  ତୁଳନା କରିବା ଦ୍ୱାରା ପରସ୍ପରଙ୍କ ଭିତରେ ଇର୍ଷା ସୃଷ୍ଟି  ହେବା ସହ ଭଲ ପାଇବା କମିଯାଏ । 

ଅଭିଭାବକଙ୍କଠାରୁ ଦୂରେଇ ଯାଏ ପିଲା

ଅଭିଭାବିକ ପିଲାର ତୁଳନା କରିବା ଦ୍ୱାରା ସେ  ବାପାମା’ ସହ ମନ ଖୋଲା ଭାବେ କଥା  ହୋଇପାରେନା । ବରଂ ସବୁ କାମରେ ସେ ଅନ୍ୟ  ସହ ନିଜର ତୁଳନା ହୋଇପାରେ ବୋଲି ଆଶା  ରଖିଥାଏ । ଏହାଦ୍ୱାରା ସେ ଏକା ହୋଇପଡେ । ଆଉ  ଅଭିଭାବକଙ୍କଠାରୁ ଦୂରେଇବା ଦ୍ୱାରା ସମସ୍ୟାକୁ  ଦୃଢତାର ସହ ମୁକାବଲା କରିପାରେନା । ଫଳରେ  ସେ ବଡ଼ ହେବା ପରେ ମଧ୍ୟ ସମସ୍ୟାକୁ ସାମ୍‌ନା  କରିବାକୁ ଡରିଥାଏ।  

ପିଲାର ଟ୍ୟାଲେଣ୍ଟ୍‌ ମରିଯାଏ

ଅନ୍ୟ ସହ ପିଲାର ତୁଳନା କରିବା ପରେ ସେ କୌଣସି  କାମ ପ୍ରତି ଆଗ୍ରହୀ ହୋଇ ନଥାଏ । ବରଂ ଉଦାସୀନ  ହୋଇପଡେ ।  ଫଳରେ ତା’ ଭିତରେ ଥିବା  ଟ୍ୟାଲେଣ୍ଟ୍‌ ଚାପି ହୋଇଯାଇଥାଏ । ଫଳରେ  ପିଲାର ଟ୍ୟାଲେଣ୍ଟ୍‌ ଆପେ ଆପେ ମରିଚାଲେ । 

ପିଲା ଚିନ୍ତାରେ ରହେ..

ତୁଳନା କରିବା ଦ୍ୱାରା ପିଲା ସବୁବେଳେ ଭଲ ପ୍ରଦର୍ଶନ  କରିବାକୁ ନେଇ ଚିନ୍ତାରେ ରହିଥାଏ । ତେଣୁ  ମୁକ୍ତ ଭାବେ କିଛି ଭାବି ପାରେନା । ଫଳରେ ସେ  ଚାହୁଁଥିବା କାମକୁ ଭଲରେ କରିବା ପରିବର୍ତ୍ତେ  ବିଗାଡି ଦେଇଥାଏ ।  

 ଆତ୍ମବିଶ୍ୱାସ କମିଚାଲେ

ତୁଳନା କରିବା ଦ୍ୱାରା ପିଲାରେ ବିଶ୍ୱାସ ହୋଇଯାଏ  ଯେ ସେ ସାମ୍‌ନା ପିଲାଠାରୁ ଦୁର୍ବଳ । ଫଳରେ ତା’  ଭିତରେ କୌଣସି କାମକୁ ନେଇ ଉତ୍ସାହ ନୁହେଁ,  ବରଂ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିଥାଏ ।  ତେଣୁ ପିଲାକୁ ତୁଳନାଠାରୁ ଦୂରେଇ ରଖନ୍ତୁ ।