ଭୁବନେଶ୍ୱର ୦୩/୦୪: ଓଡ଼ିଶାରେ ଲଗାତାର ଭାବେ ଗତ କିଛିଦିନ ଭିତରେ ଭୂମିକମ୍ପ ଅନୁଭୂତ ହୋଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବାରମ୍ବାର ଭୂକମ୍ପ ଝଟ୍କା ଚିନ୍ତା ବଢ଼ାଇଛି। ବିଶେଷଜ୍ଞଙ୍କ ମତରେ ଭୂତଳ ଭୂଖଣ୍ଡରେ କିଛି ନା କିଛି ଘଟୁଛି ।
ସବୁଠାରୁ ହିମାଳୟ ଭୂଖଣ୍ଡ ପ୍ଲେଟରେ ଅବସ୍ଥିତ ନଥିଲେ ମଧ୍ୟ ଏହା ଭୂତାତ୍ତ୍ୱିକ କାର୍ଯ୍ୟକଳାପରୁ ମୁକ୍ତ ନୁହେଁ । ଏଇ କିଛିଦିନ ଭିତରେ କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତୀବ୍ରତା କମ୍ ଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ । ତେଣୁ ଆଲୋଚନା ବି କମ୍ । ମାତ୍ର ବିଶେଷଜ୍ଞ ଏହାକୁ ଆଦୌ ହାଲୁକା ଭାବେ ନେଉନାହାନ୍ତି । କାହିଁକି ଏ ଅଞ୍ଚଳରେ ବାରମ୍ବାର ଭୂକମ୍ପ ଝଟ୍କା ଅନୁଭୂତ ହେଉଛି, ଏହାକୁ ନେଇ ଭୂତତ୍ତ୍ୱବିତ୍ ଖୋଳତାଡ଼ ଆରମ୍ଭ କରିଛି । ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଭାଗର ବରିଷ୍ଠ ପ୍ରଫେସର ୱିଲିୟମ ମହାନ୍ତିଙ୍କ କହିବାନୁସାରେ କଳାହାଣ୍ଡି ଅଞ୍ଚଳରେ ଯେଉଁ ଭୂକମ୍ପ ଅନୁଭୂତ ହେଉଛି, ତାହା ପଛରେ ଏକ ବହୁ ପୁରାତନ ସୁପ୍ତ ଫଲ୍ଟ ଲାଇନ ରହିଛି । ପୂର୍ବଘାଟ ପର୍ବତମାଳାରୁ ଛତିଶଗଡ଼ର ବସ୍ତରକୁ ଯେଉଁ ଫଲ୍ଟ ଲାଇନ ରହିଛି, ତାହା ଦୀର୍ଘବର୍ଷରୁ ଏକପ୍ରକାର ନିଷ୍କ୍ରିୟ ଥିଲା । ହଠାତ୍ ଏହା ସକ୍ରିୟତା ଦେଖାଇଛି । ଯଦିଓ ଏ ଅଞ୍ଚଳରେ ମୃଦୁରୁ ମଧ୍ୟମ ଧରଣର ଭୂକମ୍ପ ହେଉଛି, ତଥାପି ଏହାକୁ ହାଲୁକା ଭାବେ ନିଆଯିବା କଥା ନୁହେଁ । କ’ଣ ପାଇଁ ଏହି ବହୁ ପୁରାତନ ଫଲ୍ଟ ଲାଇନ ସକ୍ରିୟ ହୋଇଛି, ଏହା ଉପରେ ନିୟମିତ ନିରୀକ୍ଷଣ କରାଯାଉ । ନିୟମିତ ନିରୀକ୍ଷଣ ଦ୍ୱାରା ହିଁ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସେ ମତ ରଖିଛନ୍ତି ।
ଅଧିକ ପଢ଼ନ୍ତୁ :- Cyclone Alert: ମେ’ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା ! ଓଡ଼ିଶା ଉପକୂଳରେ ପଶିବା ନେଇ ଜିଏଫଏସ୍ ମଡେଲ୍ର ପୂର୍ବାନୁମାନ
ବିଶେଷଜ୍ଞଙ୍କ ମତରେ ଏହି ଭୂକମ୍ପଗୁଡ଼ିକର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ବେଶି ଗଭୀର ରହୁନି । ତେଣୁ ତୀବ୍ରତା କମ୍ ଥିଲେ ମଧ୍ୟ ବଡ଼ ଅଞ୍ଚଳରେ ଅନୁଭୂତ ହେଉଛି । ଗତ ଏପ୍ରିଲ ୨୯ରେ ୪.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂପୃଷ୍ଠରେ ଏହାର ଗଭୀରତା ମାତ୍ର ୨୪ କିମି ଥିଲା । ନବରଙ୍ଗପୁର, କଳାହାଣ୍ଡିରେ ଏହା ଅନୁଭୂତ ହୋଇଥିଲା । ପୂର୍ବରୁ ଗତ ଏପ୍ରିଲ ୪ରେ କୋରାପୁଟରେ ଭୂକମ୍ପ ଅନୁଭୂତ ହୋଇଥିଲା ।ଶନିବାର ବଲାଙ୍ଗୀରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।
ଭୂତତ୍ତ୍ୱବିତଙ୍କ କହିବାନୁସାରେ ଓଡ଼ିଶା ମୁଖ୍ୟତଃ ଭୂକମ୍ପ ପ୍ରବଣତାର ଜୋନ୍-୩ ପରିସରଭୁକ୍ତ । ତେଣୁ ବଡ଼ଧରଣର ଭୂକମ୍ପ ସମ୍ଭାବନା କମ୍ । ତଥାପି ମଧ୍ୟମ ଧରଣର ଭୂକମ୍ପ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।