ଭୁବନେଶ୍ୱର, ୩୧।୧୨: ଜାତୀୟ ରାଜପଥରୁ ଜଳ ନିଷ୍କାସନ ପାଇଁ ସର୍ଭିସ୍ ରାସ୍ତା ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ କରାଯାଉଛି । ଡ୍ରେନ୍ ନିର୍ମାଣ କାମ ସଂପୂର୍ଣ୍ଣ ସରି ନଥିବା ବେଳେ ନିର୍ମାଣ ହୋଇଥିବା ଡ୍ରେନ୍ର ସ୍ଲାବ୍ ଅଧିକାଂଶ ସ୍ଥାନରେ ଭାଙ୍ଗିରୁଜି ଗଲାଣି । କେତେକ ସ୍ଥାନରେ ଡ୍ରେନ୍ ମୁକୁଳା ରହିଥିବା ବେଳେ ଆଉ କିଛି ସ୍ଥାନରେ ଲୁହା ରଡ଼ ବାହାରି ଅଧିକ ବିପଦପୂର୍ଣ୍ଣ ହୋଇପଡ଼ିଛି । ଯାତାୟତ କରିବାରେ ଘୋର ଅସୁବିଧା ହେଉଥିବା ବେଳେ ଅନେକ ସ୍ଥାନରେ ମଣିଷଠାରୁ ଆରମ୍ଭ କରି ବୁଲା ଗୋରୁଗାଈ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି । ସୂଚନାନୁସାରେ, ଜଳ ନିଷ୍କାସନକୁ ସୁଗମ କରିବା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ସର୍ଭିସ୍ ରାସ୍ତା କଡ଼ରେ ଏହି ଡ୍ରେନ୍ ନିର୍ମାଣ ହେଉଛି । ପ୍ରାୟ ୩ ବର୍ଷ ଧରି ଏହି ନିର୍ମାଣ କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରୁନାହିଁ । ଅନେକ ସ୍ଥାନରେ ଡ୍ରେନ୍ କାମ ଏପର୍ଯ୍ୟନ୍ତ ବି ଆରମ୍ଭ ହୋଇନାହିଁ ।
ତେଣୁ ଡ୍ରେନ୍ ନିର୍ମାଣ ସ୍ଥାନରେ ପାଣି ଜମି ରହି ବାଧା ସୃଷ୍ଟି କରୁଥିବା ବେଳେ ନିର୍ମାଣ ସରିଥିବା ଡ୍ରେନ୍ ଗୁଡ଼ିକର ଅନେକ ସ୍ଥାନରେ ଭାଙ୍ଗି ଗଲାଣି । ଗୋଟିଏ କି ଦୁଇଟି ନୁହେଁ । ପୀତାପଲ୍ଲୀଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ୧୦୦ରୁ ଅଧିକ ସ୍ଥାନରେ ଡ୍ରେନ୍ ଆଁ କରି ରହିଛି । ଜାତୀୟ ରାଜପଥର ଯାଁଳା, ତଳଖେତା, ପିତାପଲ୍ଲୀ, ତମାଣ୍ଡୋ, ପାତ୍ରପଡା, ଆଇଗିଣିଆ, ଆଦି ଗୁରୁତ୍ୱପୂର୍ଣ୍ଣ ଛକରେ ଡ୍ରେନ୍ ଏଭଳି ବିପଦପୂର୍ଣ୍ଣ ଭାବେ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଫଳରେ ରାତିରେ ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପିତାପଲ୍ଲୀ ଛକଠାରୁ ଖଣ୍ଡଗିରି ଛକ ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଲୋକ ଏହି ଡ୍ରେନ୍ ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହେଲେଣି । ସେହିପରି ଜାତୀୟ ରାଜପଥ କଡ଼ରେ ନିର୍ମାଣ ହୋଇଥିବା ବସ୍ ଷ୍ଟପ୍ଗୁଡ଼ିକ ମଧ୍ୟରୁ ଅନେକ ସ୍ଥାନରେ ଏହି ଡ୍ରେନ୍ ମୁକୁଳା ହୋଇ ପଡ଼ିରହିଛି । ଫଳରେ ଉକ୍ତ ବସ୍ ଷ୍ଟପ୍କୁ ଯାତ୍ରୀମାନେ ଭୟରେ ଯିବାଆସିବା କରୁନାହାନ୍ତି । ପାତ୍ରପଡ଼ା ଛକଠାରୁ ଆଇଗିଣିଆ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବହୁ ବ୍ୟବସାୟିକ ଅନୁଷ୍ଠାନ ଗଢ଼ି ଉଠିଛି । ଏଥିସହ ଅନେକ ବିଲ୍ଡର୍ସ ସଂସ୍ଥା ଏନଏଚ୍ କଡ଼ରେ ଜମି ନେଇ ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ସେମାନଙ୍କ କଠିନ ବର୍ଜ୍ୟବସ୍ତୁ ଓ ମଇଳା ପାଣି ନିଷ୍କାସନ ପାଇଁ ସେପରି କିଛି ବ୍ୟବସ୍ଥା କରି ନଥିବା ଅଭିଯୋଗ ହେଉଛି । କିଛି ଆପାର୍ଟମେଣ୍ଟ ଓ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଥିଲେ ମଧ୍ୟ ତାହା ଜନସଂଖ୍ୟା ଅନୁପାତରେ ଯଥେଷ୍ଟ ନୁହେଁ । ତେଣୁ ସେମାନେ ବେଆଇନ ଭାବେ ରାଜପଥ ଡ୍ରେନକୁ ଆବର୍ଜନା ପାଣି ଛାଡ଼ୁଛନ୍ତି ।
ଫଳରେ ମଇଳା ଓ ଆବର୍ଜନା ପାଣି ସର୍ଭିସ୍ ରାସ୍ତାରେ ଲହି ଭାଙ୍ଗୁଛି । ଏହା ଛଡ଼ା ରାସ୍ତା ପାଶ୍ୱର୍ରେ ବହୁ ଉଠା ଦୋକାନୀ ମଧ୍ୟ ଖୁଚୁରା ବ୍ୟବସାୟ କରୁଛନ୍ତି । ସେମାନେ ମଧ୍ୟ ସେମାନଙ୍କ କଠିନ ବର୍ଜ୍ୟବସ୍ତୁ ଏହି ନାଳରେ ଫିଙ୍ଗୁଛନ୍ତି । ଯେଉଁ କେତେକ ଅଂଶରେ ଡ୍ରେନ କାମ ହୋଇନାହିଁ ତାର ସଂଯୋଗୀକରଣ ମଧ୍ୟ ହୋଇନାହିଁ । ଫଳରେ କଠିନ ବର୍ଜ୍ୟବସ୍ତୁ ଡ୍ରେନ ମୁହଁ ଜାମ୍ କରିବାରୁ ଜଳ ନିଷ୍କାସନରେ ବାଧକ ହେଉଛଇ । ଏହି ମଇଳା ପାଣି ରାସ୍ତାରେ ଜମିବା ସହ କେତେକ ସ୍ଥାନରେ ପିଚୁ ଉଠି ଖାଲ ସୃଷ୍ଟି ହୋଇଛି । ଯାତାୟାତରେ ସମସ୍ୟା ହେଉଛି । ମଇଳା ପାଣି ରାସ୍ତାରେ ମାଡ଼ିବା ସହ ଦୀର୍ଘ ଦିନ ଖାଲରେ ଜମି ରହିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ସବୁଠାରୁ ବଡ଼କଥା ହେଉଛି, ଏନଏଚ୍ଏଆଇର ବରିଷ୍ଠ ଅଧିକାରୀମାନେ ଏହି ରାସ୍ତା ଦେଇ ଯିବାଆସିବା କରୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଏନେଇ ବିଭାଗ ନିକଟରେ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।