ନୂଆଦିଲ୍ଲୀ,୨୪/୦୮: ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଲା ଭାରତ । ଯୋଡ଼ିହେଲା ସ୍ୱଦେଶୀ ଶକ୍ତି । ଏବେ ପବନରେ ଉଡ଼ିଯିବ ଶତ୍ରୁ । ୧୫୦ କିମି ଉଚ୍ଚରେ ମିସାଇଲ ହେବ ଧ୍ୱଂସ । 'ଅପରେସନ୍ ସିନ୍ଦୂର' ପରେ ଭାରତର ସାମରିକ ଶକ୍ତି ଆହୁରି ସଶକ୍ତ ହୋଇଛି । ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS)ର ପ୍ରଥମ ଉଡ଼ାଣ ପରୀକ୍ଷଣ ସଫଳ କରିଛି ଡିଆରଡିଓ । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆହରୁ ମଜବୁତ କରିବା ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର । ଏହି ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ତାର ସ୍ଥିତିକୁ ମଜବୁତ କରୁଛି । ଏହି କ୍ରମରେ ମଲ୍ଟିଲେୟାର ଏୟାର ଡିଫେନ୍ସ ସିଷ୍ଟମ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଛି । ଅଗଷ୍ଟ ୨୩ରେ ଡିଆରଡିଓ ଓଡ଼ିଶା ତଟରୁ IADWSର ପ୍ରଥମ ଉଡ଼ାଣର ସଫଳ ପରୀକ୍ଷଣ କରିଛି । ଏହା ଏକ ବହୁ ସ୍ତରୀୟ ବାୟୁ ରକ୍ଷା ପ୍ରଣାଳୀ । ଯେଉଁଥିରେ ସ୍ୱଦେଶୀ ମିସାଇଲ ଏବଂ ଏକ ଶକ୍ତିଶାଳୀ ଲେଜର ଅସ୍ତ୍ର ସାମିଲ ଅଛି । ଏହା ପ୍ରଣାଳୀ ପାଖରେ ଶତ୍ରୁର ଆକାଶମାର୍ଗର ଆଟାକ୍‌ରୁ ଦେଶକୁ ରକ୍ଷା କରିବାର କ୍ଷମତା ରହିଛି । 

କଣ IADWS ? IADWS ହେଉଛି ଏକ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ସମୟ ମଧ୍ୟରେ ଶତ୍ରୁ କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବ। ଏହି ପ୍ରଣାଳୀ ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏବଂ ବିପଦକୁ ଚିହ୍ନଟ କରି ତୁରନ୍ତ ପ୍ରତିକ୍ରିୟା ଦେବ । ବାହୁବଳୀ ବାୟୁ ପ୍ରତିରକ୍ଷା ସମ୍ପ୍ରତି ସଫଳତାର ସହିତ ଏହାର ଶକ୍ତି ଏବଂ ପ୍ରଭାବଶାଳୀତା ପ୍ରଦର୍ଶନ କରିଛି । IADWS ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଏହା ଦ୍ରୁତ ପ୍ରତିକ୍ରିୟାଶୀଳ ମିଶାଇଲ (QRSAM), କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS),  ଅତ୍ୟାଧୁନିକ ଲେଜର ଅସ୍ତ୍ର (DEW)କୁ ନେଇ ଗଠିତ । ଭାରତର ଏହି 'ସୁଦର୍ଶନ ଚକ୍ର' ୨୫୦୦ କିମି ପର୍ଯ୍ୟନ୍ତ ଦୂରତାରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ ଏବଂ ୧୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଆକାଶରେ ଯେକୌଣସି କ୍ଷେପଣାସ୍ତ୍ରକୁ ଅଟକାଇପାରିବ । ଏହାର ଶକ୍ତି ଦେଖି ପାକିସ୍ତାନ ଓ ଚୀନର ହୋସ୍ ଉଡ଼ିଯିବ ।