କୋଣାର୍କ,୮।୧୨ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢା ହେବ ବାଲି। ସୋମବାର ପୂର୍ବାହ୍ନରେ ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଦିଲୀପ କୁମାର ଖମାରୀ, ଚେନ୍ନାଇର ବିଶେଷଜ୍ଞ ଦଳ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନେଇ ଅନୁଧ୍ୟାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍କଲ ସୁପରିଟେଣ୍ଡେଟ ଡ଼ଃ ଡି.ବି ଗଡ଼ନାୟକ, ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶ ଓ ଆଇଆଇଟି ଚେନ୍ନାଇର ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ। ମନ୍ଦିରର ପଶ୍ଚିମ ପାର୍ଶ୍ବରେ ଜିରୋ ଭାଇବ୍ରାଣ୍ଟ ଡାଇମଣ୍ଡ ଡ୍ରିଲରେ ୧୬ସେମି ଗୋଲେଇରେ ଗର୍ତ୍ତ କରାଯାଉଛି। ପ୍ରାୟ ୭ ମିଟର ଖୋଳା ସରିଲାଣି। ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି ଏଏସଆଇ ସୂଚନା ଦେଇଥିଲା। ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ। ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ ।