ଭୁବନେଶ୍ୱର ୨୧/୧୨: ଜାଣନ୍ତି କି ଚା’ରେ ଚିନି ପରିବର୍ତ୍ତେ ଗୁଡ଼ ପକାଇବା ଦ୍ୱାରା କ'ଣ ଫାଇଦା  ହୋଇଥାଏ? ଗୁଡ଼ ଶୀତଦିନେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ବୋଲି କୁହାଯାଏ ।  ଏହା ଶରୀରକୁ ଗରମ ରଖିବା ସହ ଅନେକ ସମସ୍ୟାକୁ ଦୂର କରିଥାଏ ।  ଘରର ବୟସ୍କ ଲୋକମାନେ ଶୀତଦିନେ ସମସ୍ତଙ୍କୁ ଗୁଡ଼ ଖାଇବାକୁ କହିଥାନ୍ତି ।  ଏହା ପଛରେ ଅନେକ କାରଣ ରହିଥାଏ । ଏଥିରେ ଆଇରନ୍‌, ପୋଟାସିୟମ୍‌,  ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌  ବହୁ ମାତ୍ରାରେ ରହିଥାଏ, ଯାହା  ରୋଗ ପ୍ରତିରୋଧକ   ଶକ୍ତି ବଢାଇବା ସହ ପାଚନ ଶକ୍ତକୁ ମଜଭୁତ  କରିଥାଏ । ସେହିପରି ହାଡ଼  ଓ ହୃଦୟ ପାଇଁ ମଧ୍ୟ ଲାଭଦାୟକ ।   ଶୀତଦିନେ ଏମିତି ଜିନିଷ ଖାଇବା ଉଚିତ୍‌, ଯାହା  ଶରୀରକୁ   ଗରମ ଅନୁଭବ ଦେବା ସହ ରୋଗ ସହ ଲଢିବାରେ   ସମର୍ଥ ହୋଇପାରିବ । ଚିନି ଚା’ ପରିବର୍ତ୍ତେ ଗୁଡ଼ ଚା’ ଶରୀରକୁ ଅଧିକ ଗରମର  ଅନୁଭବ ଦେଇଥାଏ । ଚାଲନ୍ତୁ ଜାଣିବା ଗୁଡ଼ ଚା’ର ଫାଇଦା ।  

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ: ଗୁଡ଼ ପାଚନ କ୍ରିୟାକୁ ସୁଧାରିବାରେ   ସହଯୋଗ କରେ । ଏହା ଅନ୍ତଃନଳୀର କାମକୁ ସହଜ କରିବା ସହ କବ୍ଚ ସମସ୍ୟାରୁ ମୁକ୍ତି ଦେଇଥାଏ । ଶୀତଦିନେ ମେଟାବଲିଜିମ୍‌ ଧୀମା ହୋଇଯାଇଥାଏ ।  ଏହି ସମୟରେ ଗୁଡ଼ ଚା’ ସ୍ୱାସ୍ଥ୍ୟ ପାଇଁ ଶ୍ରେଷ୍ଠ ବିକଳ୍ପ । 

ଶକ୍ତିର ସ୍ରୋତ: ଗୁଡ଼ରେ ପ୍ରାକୃତିକ ଶର୍କରା ରହିଥାଏ, ଯାହା ଶରୀରରେ   ସତେଜତା ସହ ଶକ୍ତି ଭରିଥାଏ । ପ୍ରାକୃତିକ ଶର୍କରା ଶରୀରକୁ କୌଣସି କ୍ଷତି  ପହଞ୍ଚାଇ ନଥାଏ । ସେଥିପାଇଁ ସୀମିତ ମାତ୍ରାର ଗୁଡ଼ ଖାଇବା ଦ୍ୱାରା ଶରୀରର  କୌଣସି କ୍ଷତି ହୋଇ ନଥାଏ ।  

ରକ୍ତର ଅଭାବକୁ ଦୂରାଏ: ଗୁଡ଼ ଆଇରନ୍‌ର ପ୍ରମୁଖ ସ୍ରୋତ, ଯାହା ରକ୍ତର   ଅଭାବକୁ ଦୂର କରିଥାଏ । ଏପରିକି ହିମୋଗ୍ଲୋବିନ୍‌ ସ୍ତର ମଧ୍ୟ ବଢାଇଥାଏ ।  ବିଶେଷକରି ମହିଳାମାନଙ୍କ ପାଇଁ ଏହି ଗୁଡ଼ ଚା’ ବେଶୀ ହିତକର । ଏହା  ସେମାନଙ୍କ ଆନେମିଆ ସମସ୍ୟା ଦୂର କରିଥାଏ । 

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ,  ଯାହା ସଂକ୍ରମଣ ଓ ରୋଗଠାରୁ ଦୂରେଇ ରଖେ । ଶରୀରରେ ରୋଗ ପ୍ରତିରୋଧକ  ଶକ୍ତି ବଢାଇବା ସହ ଋତୁଜନିତ ସଂକ୍ରମଣଠାରୁ ଦୂରେଇ ରଖେ ।  

ଓଜନ କମାଏ: ଗୁଡ଼ ଚା’ରେ କ୍ୟାଲୋରୀ କମ୍‌ ରହିଥାଏ । ସେହିପରି ଗୁଡ଼ରୁ   ମିଳୁଥିବା ଶକ୍ତି ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ।  

ଚିନ୍ତା ଦୂରାଏ: ଗୁଡ଼ ଶରୀରରେ ସୋରୋଟୋନିନ୍‌ ଓ ଏଣ୍ଡୋଫିନ୍‌ ସ୍ତରକୁ   ବଢାଇବା ସହ ମୁଡ଼କୁ ଭଲ କରିଥାଏ ।