ପୁରୀ,୨୧/୧୨ : ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ। ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ହୋଇଛି ଭାଇରାଲ । ତେବେ ଫେସବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଛାଡ଼ିଛି ଏହି ଫଟୋ । ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି । ତେବେ ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଫଟୋରେ କୁରମ ବେଢା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଦେଖାଯାଉଛି । ମେଘନାଦ ପାଚେରୀ ଭିତରେ ଥିବା ଅନ୍ୟାନ୍ୟ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ କରାଯାଇଥିବାବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।