ସୋର,୮/୮: ସୋରରେ ଏବେ ବ୍ୟାପକ ମାତ୍ରାରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ସୋର ପୌର ପାଳିକା ଅନ୍ତର୍ଗତ ପଠାଣ ମହଲ୍ଲା ଗାଁର ଗ୍ରାମବାସୀ ମାନେ ବେପାରୀ ଏବଂ ଗ୍ରାହକକୁ ସାବାଡ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଫଳରେ ଶୁକ୍ରବାର ଅପରାହ୍ନରେ ଜଣେ ବ୍ରାଉନ ସୁଗାର ବେପାରୀକୁ ଧରି ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ପଠାଣ ମହଲ୍ଲା ଗାଁରେ ବ୍ରାଉନ ସୁଗାର କାରବାର ଏତେ ମାତ୍ରାରେ ବଢିଥିଲା ଯେ ଗ୍ରାମବାସୀ ମାନେ ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ। ଫଳରେ ସଭିଏଁ ଏକାଠି ହୋଇ ସେମାନଙ୍କୁ ସାବାଡ଼ କରିବା ପାଇଁ ଗାଁ ମୁଖିଆଙ୍କ ସହିତ ଆଲୋଚନା କରିଥିଲେ। ସେଥିପାଇଁ ଗତ ୩ ଦିନ ଧରି ଗ୍ରାମବାସୀ ମାନେ ବ୍ରାଉନ ସୁଗାର ସେବନ କରୁଥିବା ଯୁବକଙ୍କୁ ଧରି ଉତ୍ତମ ମାଧ୍ୟମ ଦେବା ଫଳରେ ସେମାନେ ବ୍ରାଉନ ସୁଗାର କିଣୁଥିବା ବେପାରୀକୁ କାବୁ କରିବାକୁ ଲାଗିପଡ଼ିଥିଲେ। ଗ୍ରାମବାସୀ ମାନେ ତାଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ।
ଶୁକ୍ରବାର ଅପରାହ୍ନରେ ଗ୍ରାମବାସୀ ମାନେ ବ୍ରାଉନ ସୁଗାର ବିକୁଥିବା ସେଖ୍ ରହିମତ ଅଲ୍ଲୀକୁ ଧରିଥିଲେ। ତା ନିକଟରୁ ବ୍ରାଉନ ସୁଗାର ମିଳିବା ପରେ ପୁଲିସ ଏବଂ ଅବକାରୀ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ଖବର ପାଇ ସୋର ଅବକାରୀ ଅଧିକାରୀ ସୁରଜ ଟୀଗା ଏବଂ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରହିମତକୁ ଗିରଫ କରିଥିଲେ। ଅବକାରୀ ପୁଲିସ ତା ନିକଟରୁ ପ୍ରାୟ ୨ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି। ଗ୍ରାମବାସୀ ମାନେ ସୋର ଅଞ୍ଚଳର ପ୍ରତ୍ୟେକ ଗାଁର ଗ୍ରାମବାସୀଙ୍କୁ ଏଭଳି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ନିଶା ସେବନ ଫଳରେ ଯୁବଗୋଷ୍ଠୀ ବିପଥଗାମୀ ହେଇଥିବା ବେଳେ ଅକାଳରେ ଅନେକ ଜୀବନ ଯାଉଛି। ତେବେ ପଠାଣ ମହଲ୍ଲା ଗ୍ରାମବାସୀଙ୍କ ଏ ଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂଶା କରାଯାଇଛି।