ଭୁବନେଶ୍ବର,୧୦/୧୨ : ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡ଼ିଶା ପୁଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି । ବିଗତ କିଛି ଦିନ ମଧ୍ୟରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍ ସିରପ ଜବତ ସହ ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ୭୩,୧୮୧ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୧୮୧ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । STF, ଭୁବନେଶ୍ୱର ସର୍ବାଧିକ ୨୬,୬୫୮ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସେହିପରି ସମ୍ବଲପୁର ଜିଲ୍ଲା ପୁଲିସ ୧୩ଟି ମାମଲା ରୁଜୁ କରାଯାଇଥିବାବେଳେ ୧୯,୯୦୮ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୁଲିସ ୧୭ଟି ମାମଲା ଓ ୧୨,୮୫୬ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ବୋତଲ, ବୌଦ୍ଧ ଜିଲ୍ଲାରେ ୪ଟି ମାମଲା ସହ ୧୮୮୬ ବୋତଲ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହ ୫୯୫ବୋତଲ କଫ ସିରପ ଜବତ କରାଯାଇଛି ।

ସମ୍ବଲପୁର ଜିଲ୍ଲା ପୁଲିସ ୬୬ଜଣଙ୍କୁ ଗିରଫ କରିଥିବାବେଳେ ବରଗଡ଼ ପୁଲିସ ୬୪, ବଲାଙ୍ଗୀର ପୁଲିସ ୨୩ , ସୁବର୍ଣ୍ଣପୁର ପୁଲିସ ୭ଜଣ, ସୁନ୍ଦରଗଡ଼ ୬ଜଣ ଏବଂ କେଉଁଝର ଜିଲ୍ଲାରେ ୬ଜଣଙ୍କୁ ଗିରଫ କରାଯାଇଛି । ଯାହା ନିଶା କାରବାର ନେଟଓ୍ବାର୍କକୁ ଭାଙ୍ଗିବାରେ ପୁଲିସର ତତ୍ପରତାକୁ ଦର୍ଶାଉଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏହି ସଫଳତାକୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏହିପରି ଅଭିଯାନ ଜାରି ରହିବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।