ଭୁବନେଶ୍ୱର,୦୪/୧୦: ଶରତର ଆଗମନରେ ଧରାପୃଷ୍ଠରେ ମା’ଙ୍କ ଆଗମନ ହୋଇଥିଲା । ଶରତ ସରିନି ହେଲେ ୯ଦିନର ଯାତ୍ରା ସାରି ଫେରିଯାଇଛନ୍ତି ମା’ । ଷଷ୍ଠୀରୁ ମା’ଙ୍କ ଦର୍ଶନ ଲାଗି ଲାଗିଥିଲା ଗହଳି । ନବମୀ ଓ ଦଶମୀରେ ଧୁମ୍ଧାମ୍ରେ ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ରାତି ଯାଏ ମଣ୍ଡପମାନଙ୍କରେ ଭକ୍ତଙ୍କ ଗହଳି ଥିଲା । କିଏ ଦୀପ ଟିଏ ଜାଳି ପରିବାରର ମଙ୍ଗଳ ମନାସୀ ଥିଲା ତ ଆଉ କିଏ ଚାଙ୍ଗୁଡ଼ିରେ ଫୁଲ, ଧୂପ, ଦୀପ ଓ ଭୋଗ ସଜେଇ ମା’ଙ୍କ ପାଖରେ ପୂଜା କରିଥିଲେ । ଭକ୍ତଙ୍କ ଗହଳିରୁ ବିଦାୟ ନେଲେ ମା’ । ଧୂପ, ଦୀପ, ଝୁଣା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ବିଦାୟ ଦିଆଯାଇଛି । ମା’ଙ୍କୁ ବିଦାୟ ଦେବା ବେଳେ ପୂଜା ମଣ୍ଡପର କର୍ମକର୍ତ୍ତା ଓ ଭକ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା । ଅପରାହ୍ନରୁ ରାଜରାସ୍ତା ହୋଇଉଠିଥିଲା ଲୋକାରଣ୍ୟ । ଛକ ଛକରେ ଲାଗିଥିଲା ଭିଡ଼ । କିଏ ଟିକେ ଆଗକୁ ବୁଲି ଆସୁଥିଲେ ତ ଆଉ କିଏ ନିଜ ଆସ୍ଥାନ ଠିକ୍ କରି ନେଇଥିଲେ ।
ଅପରାହ୍ନ ୪ଟାରୁ ମଣ୍ଡପ କର୍ମକର୍ତ୍ତା ମା’ଙ୍କୁ ମେଲାଣି ଦେବା ଲାଗି ସବୁ ବନ୍ଦୋବସ୍ତ କରି ଦେଇଥିଲେ । ଡିଜେ ମୁକ୍ତ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ପାରମ୍ପରିକ ବାଦ୍ୟ ଉପରେ ନିର୍ଭର କରିଥିଲେ । ରାଜରାସ୍ତାରେ ଘୋଡ଼ାନାଚ, ବାଘନାଚ, ଷଣ୍ଢନାଚ ପରି ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଉଥିଲା । ରାଜଧାନୀର ରାସ୍ତା ହୋଇଉଠିଥିଲା ଦେବୀମୟ । ଖାଲି ସେତିକି ନୁହେଁ ଝୁଣା ଓ ଧୂପରେ ମହକୁଥିଲା ରାସ୍ତାଘାଟ । ଘଣ୍ଟଘଣ୍ଟା, ଶଙ୍ଖନାଦ କରି ଗୋଟିଏ ପରେ ଗୋଟିଏ ମେଢ଼ ଆଗକୁ ବଢ଼ି ଚାଲିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୂଜା କମିଟି ଓ ପୁଲିସ ପ୍ରଶାସନ ବନ୍ଦୋବସ୍ତ କରିଥିଲେ । ରାଜଧାନୀରେ ନିର୍ଦ୍ଧିଷ୍ଟ ମଣ୍ଡପରେ ମା’ ପହଞ୍ଚିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରେ ୫ ଟି ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହିଦ ନଗରରେ ଭୁବନେଶ୍ୱର ଭସାଣି ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭସାଣି ସୁରକ୍ଷା କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର ଭୁବନେଶ୍ୱର ପଟେ ଦୁଇଟି ଭସାଣି ମହୋତ୍ସବ ଆୟୋଜିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକିକରଣ ଉପରେ ଧ୍ୟାନ ଦେଇଥିଲେ ସବୁ ପୂଜା କମିଟି । ଏହା ବ୍ୟତୀତ ଅନେକ ପୂଜା ମଣ୍ଡପ ଏକା ଏକା ଭସାଣି ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି ଦେଇଥିଲେ । ରସୁଲଗଡ଼ ଦୁର୍ଗାପୂଜା କମିଟି, ଦାରୁଠେଙ୍ଗ, ବରମୁଣ୍ଡା ଦୁର୍ଗାପୂଜା କମିଟି ଅଲଗା ଭାବେ ଭସାଣୀ କରି ମା’ଙ୍କୁ ବିଦାୟ ଦେଇଥିଲେ ।
ସହିଦ ନଗରରେ ଏକାଠି ୨୨ମେଢ଼
ସହିଦ ନଗର ଭସାଣି କମିଟିର ସମସ୍ତ ମେଢ଼ ସହିଦ ନଗରରେ ଏକତ୍ରିତ ହୋଇଥିଲେ । ସେଠାରୁ ରାଜମହଲ ଛକ ଭାୟା ରାମ ମନ୍ଦିର, ମାଷ୍ଟରକ୍ୟାଣ୍ଟିନ୍ ଛକ ହୋଇ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଯାତ୍ରା କରିଥିଲେ । ୨୨ଟି ମେଢ଼ ଏଠାରେ ଏକାଠି ହୋଇଥିଲେ । ପ୍ରଥମେ ପୁରୁଣା ଷ୍ଟେସନ୍ ବଜାର ଦୁର୍ଗା ପୂଜା କମିଟି ମେଢ଼ ପହଞ୍ଚିଥିଲା ପରେ ଝାରପଡ଼ା, ସତ୍ୟନଗର, କଟକ ରୋଡ, ବାଣୀ ବିହାର ଟ୍ରାଫିକ ଛକ, ହର ପାର୍ବତୀ, ଚକେଇସିଆଣୀ, ଗଜପତି ନଗର, କୋରଡ଼କଣ୍ଟ, ଭୀମଟାଙ୍ଗୀ, ସହିଦ ନଗର କେଶୁରା, ଗୁଡ଼ିଆସାହି, ପଳାଶୁଣୀ, ମହାଦେବ ୟୁନିଟ୍-୧, ବମିଖାଲ, ଗିରିଦୁର୍ଗା ଭଳି ପ୍ରମୁଖ ମଣ୍ଡପର ମେଢ଼ ଏକାଠି ହୋଇଥିଲା । ଶୋଭାଯାତ୍ରା ସମୟରେ କୌଣସି ପ୍ରକାରର ଯାନବାହାନ ଜନପଥ ରାସ୍ତାରେ ଚଳାଚଳ କରିନଥିଲା । ଏହି କଟକଣା ଅପରାହ୍ନ ୨ଟାରୁ ଭସାଣି ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ଥିଲା । ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ସାଧାରଣ ସମ୍ପାଦକ ହରିଶ ରଥ, ସଭାପତି ମନାରଞ୍ଜନ ଦାସ, ଉପଦେଷ୍ଟା ରବୀନ୍ଦ୍ର ନାଥ ବିଶ୍ୱାଳ, ସହିଦ ନଗର ଦୁର୍ଗା ପୂଜାର ସଭାପତି ହେମନ୍ତ କୁମାର ପରିଡା, ସମ୍ପାଦକ ସଚ୍ଚିନନ୍ଦନ ନାୟକ ତଥା ଭସାଣୀ ସମିତିର କୋଷାଧ୍ୟକ୍ଷ ଅଚ୍ୟୁତ ପ୍ରସାଦ ବେହେରା, ସୁରେଶ ରାଉତରାୟ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
୪ସ୍ଥାନରେ ଅସ୍ଥାୟୀ ପୋଖରୀ
ମା’ଙ୍କ ମୂର୍ତ୍ତି ବିସର୍ଜନ ହେବ । କିନ୍ତୁ ନଦୀ ପଠା କି ନଦୀର ଜଳ ପ୍ରଦୂଷଣ ହେବ ନାହିଁ । ସେଥିପାଇଁ ରାଜଧାନୀରେ ଭସାଣି ଉତ୍ସବ ଲାଗି ଅସ୍ଥାୟୀ ପୋଖରୀ ତିଆରି କରାଯାଇଥିଲା । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଓ ବିଏମସିର ନିର୍ଦ୍ଦେଶାବଳୀ ମାନି ଏଥର ଡିଜେ ମୁକ୍ତ ଓ ନିଶାମୁକ୍ତ ଭସାଣି ହୋଇଥିଲା । ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପକ୍ଷରୁ ୪ଟି ସ୍ଥାନ(ଦୟାନଦୀ, ବସୁଆଘାଇ, କୁଆଖାଇ, ହଂସପାଳ)ରେ ହୋଇଥିଲା ଅସ୍ଥାୟୀ ପୋଖରୀ । ଅତ୍ୟଧିକ ବର୍ଷା କାରଣରୁ ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଥିଲା ବିଏମସି । ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଗାଇଡଲାଇନକୁ ପାଳନ କରିବା ପାଇଁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ନଦୀକୁ ନଯିବା ଲାଗି ବିଏମସି ପାଖରୁ ସତର୍କ ପୋଷ୍ଟର ଓ ନାଲି ପତାକା ଲଗାଯାଇଥିଲା । ବିସର୍ଜନ ସମୟରେ ଅଘଟଣ ରୋକିବା ଲାଗି ଅଗ୍ନିଶମ ଓ ଓଡ୍ରାଫ ସହ ଶାନ୍ତିଶୃଙ୍ଖଳା ଲାଗି ପୋଲିସ ପକ୍ଷରୁ ଫୋର୍ସ ନିୟୋଜିତ ହୋଇଥିଲେ । ଏଣେ ତେଣେ ମୂର୍ତ୍ତି ବିସର୍ଜନ ନ କରି ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରିବା ପାଇଁ ପୂର୍ବରୁ ନିବେଦନ କରିଥିଲା ବିଏମସି । ଆଜି ଭସାଣି ପୂର୍ବରୁ ମେୟର ସୁଲୋଚନା ଦାସ ବିଏମସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରି ବୁଲି ଦେଖିଥିଲେ ।