ନୂଆଦିଲ୍ଲୀ ୦୨/୧୧: ଦୀପାବଳି ସନ୍ଧ୍ୟାରେ ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଲା । ଜଣେ  ବ୍ୟକ୍ତିଙ୍କର ଏମର୍ଜେନ୍ସି ଫୋନ୍‌ କଲ୍‌ ପାଇବା ପରେ ପୁଲିସ  ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଲା । ସ୍ଥାନୀୟ ବାସିନ୍ଦା ବିଜୟ ବର୍ମାଙ୍କ ସ୍ଥିତି ଭଲ ନ ଥିଲା । ତାଙ୍କୁ ଫୋନ୍‌ କଲ୍‌ ବିଷୟରେ  ପଚାରିବାରୁ ଜଣାପଡ଼ିଲା, ବିଜୟ ମଦ୍ୟପାନ କରିଛନ୍ତି । ସେ ଏକ ଚୋରି ବିଷୟରେ ରିପୋର୍ଟ କରିଥିଲେ,  ଯାହା ଶୁଣି ପୁଲିସ ମୁଣ୍ଡରେ ହାତ ଦେଲା । ତାଙ୍କ ଘରୁ  ୨୫୦ ଗ୍ରାମ୍‌  ଚୋପାଛଡ଼ା ଆଳୁ ଚୋରି  ହୋଇଥିବା  ସେ ପୁଲିସକୁ  ଅଭିଯୋଗ  କଲେ । ସେତିକି ନୁହେଁ, ଆଳୁ ଚୋରି ମାମଲାର ଯାଞ୍ଚ୍‌ ହେଉ ବୋଲି ବିଜୟ ଜୋର ଦେଇ କହିଲେ । 

ଆହୁରି କହିଲେ,  ମଦ୍ୟପାନ କରିବା ପରେ ଆଳୁକୁ ରୋଷେଇ କରି ଖାଇବେ ବୋଲି ସେ ଚିନ୍ତା କରିଥିଲେ । କିନ୍ତୁ ଘରକୁ  ଫେରି ଦେଖିଲେ, ଆଳୁ ନାହିଁ । ପୁଲିସ ତାଙ୍କ କଥାବାର୍ତ୍ତାର ଭିଡିଓ ରେକର୍ଡ କଲା, ଯାହା ଏବେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ନିଜର ମଦ୍ୟପାନ ଅଭ୍ୟାସ ବିଷୟରେ ବିଜୟ ପୁଲିସକୁ  କହିଲେ, ଆମେ କଠିନ ପରିଶ୍ରମ କରୁ ଏବଂ ସନ୍ଧ୍ୟାରେ  ବେଳେବେଳେ ମଦ୍ୟପାନ କରିଥାଉ । କିନ୍ତୁ ପ୍ରଶ୍ନ ମଦକୁ  ନେଇ ନୁହେଁ, ଆଳୁକୁ ନେଇ । ମୋ ହଜିଥିବା ଆଳୁ ଖୋଜନ୍ତୁ । ଘଟଣାଟି ଭରପୂର ହସର ଖୋରାକ ଯୋଗାଉଛି ।