କଟକ ୦୯/୦୯: ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢୁଥାନ୍ତି । ହଠାତ୍ ଜଣେ ମାତାଲ୍ ଯୁବକ ସ୍କୁଲ୍ରେ ପହଞ୍ଚିଲେ । ଅଣ୍ଟାରେ ଏକ ଧାରୁଆ ଖଣ୍ଡା ଖୋସିଥିଲେ । ଶ୍ରେଣୀଗୃହ ଭିତରେ ପଶି କୁନି କୁନି ଛାତ୍ରଛାତ୍ରୀଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକଙ୍କୁ ଟଣାଓଟରା କଲେ । କ୍ଲାସ୍ରୁମ୍ରୁ ବାହାରକୁ ନଆସିଲେ ହାଣିଦେବେ ବୋଲି ସିଧା ଧମକ ଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ତାଳବସ୍ତ ଗ୍ରାମର ପୁଟସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଘଟଣାକୁ ନେଇ ସ୍କୁଲ୍ର ପ୍ରଧାନଶିକ୍ଷକ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏ ସମସ୍ତ ଘଟଣାର ଭିଡିଓ ରେକର୍ଡ ହୋଇଥିବା ବେଳେ ଅଭିଯୁକ୍ତ ଗାଁରୁ ଚମ୍ପଟ୍ ମାରିଥିବା ସୂଚନା ମିଳିଛି ।
ପୁଟସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମୁଦୁଲି ଆଜି ସ୍କୁଲ୍କୁ ଆସୁଥିବା ବେଳେ ତାଳବସ୍ତ ଗ୍ରାମର ପତିତପାବନ ବେହେରାଙ୍କ ପୁଅ ଆଲୋକ ରଞ୍ଜନ ଦଳବେହେରା ତାଙ୍କୁ ରାସ୍ତାରେ ଅଟକାଇଥିଲେ । ନିଶାରେ ଚୁର୍ ହେଇ ପ୍ରଧାନଶିକ୍ଷକଙ୍କୁ ସେ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ରାସ୍ତାରେ ପ୍ରଧାନ ଶିକ୍ଷକଙ୍କୁ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ସେଠାରେ ଆଲୋକଙ୍କୁ କୌଣସି ପ୍ରକାରେ ଏଡାଇ ବାଟ କାଟି ପ୍ରଧାନଶିକ୍ଷକ ଶ୍ରୀ ମୁଦୁଲି ସ୍କୁଲ୍କୁ ପଳାଇ ଯାଇଥିଲେ । କିଛି ସମୟ ପରେ ପ୍ରଧାନଶିକ୍ଷକ ଶ୍ରେଣୀଗୃହରେ କ୍ଲାସ୍ ନେଉଥିବା ବେଳେ ଆଲୋକ ଅଣ୍ଟାରେ ଏକ ଖଣ୍ଡା ଖୋସି ପହଞ୍ଚିଥିଲେ । ଗାଳିଗୁଲଜ କରିବା ସହ ପ୍ରଧାନଶିକ୍ଷକଙ୍କୁ ବାହାରକୁ ଡାକିଥିଲେ । ଭୟଭୀତ ପ୍ରଧାନଶିକ୍ଷକ ଶ୍ରେଣୀ ଗୃହ ବାହାରକୁ ନଆସିବାରୁ ଆଲୋକ ଖଣ୍ଡା ଧରି କ୍ଲାସ୍ରୁମ୍ ଭିତରେ ପଶି ଯାଇଥିଲେ ।
ସେଠାରେ ପ୍ରଧାନଶିକ୍ଷକଙ୍କୁ ଧମକଚମକ ଦେବା ସହ ଠେଲାପେଲା କରିଥିଲେ । ବଟି ନଦେଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ଏହା ଦେଖି ଶ୍ରେଣୀଗୃହରେ ବସିଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଏ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସହ ପ୍ରଧାନଶିକ୍ଷକ ଶ୍ରୀ ମୁଦୁଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି । ତେବେ ଦିନ ଦ୍ୱିପ୍ରହରରେ ମାତାଲ ଅବସ୍ଥାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭିତରେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ ସାଧାରଣରେ ଆଲୋଡ଼ନ ଖେଳିଛି ।