ଦୁବାଇ, ୧/୦୩: ଚଳିତ ଦୁବାଇ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଭାରତର ୟୁକି ଭାମ୍ବ୍ରି ଓ ଅଷ୍ଟ୍ରେଲିଆର ଆଲେକ୍ସି ପପିରିନ୍ ଯୋଡ଼ିଙ୍କ ସ୍ୱପ୍ନର ଯାତ୍ରା ଜାରି ରହିଛି । ଉଭୟ ଚମତ୍କାର ଖେଳ ଜାରି ରଖି ପୁରୁଷ ଡବଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଶୁକ୍ରବାର ଅନୁଷ୍ଠିତ ସେମି ମୁକାବିଲାରେ ଏହି ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ୬-୨, ୪-୬, ୧୦-୭ ସେଟ୍ରେ ବ୍ରିଟେନର ଜାମି ମରେ ଓ ଅଷ୍ଟ୍ରେଲିଆର ଜନ୍ ପିୟର୍ସ ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଉଭୟଙ୍କୁ ପାଖାପାଖି ଦେଢ଼ ଘଣ୍ଟା ଲାଗିଥିଲା । ଏହି ବିଜୟ ସହ ଭାମ୍ବ୍ରି କ୍ୟାରିୟରରେ ପ୍ରଥମ ଏଟିପି ୫୦୦ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଆସନ୍ତାକାଲି ଭାମ୍ବ୍ରି-ପପିରିନ୍ ଯୋଡ଼ି ଟାଇଟଲ୍ ଲଢ଼େଇରେ ଦ୍ୱିତୀୟ ସିଡ୍ ଫିନ୍ଲାଣ୍ଡର ହ୍ୟାରୀ ହେଲିଓଭାରା ଓ ବ୍ରିଟେନର ହେନରୀ ପ୍ୟାଟର୍ଣ୍ଣ ଯୋଡ଼ିଙ୍କୁ ସାମ୍ନା କରିବେ । ଉଭୟ ପୂର୍ବରୁ ଟପ୍ ସିଡ୍ ଯୋଡ଼ିଙ୍କୁ ହରାଇ ସାରିଥିବାରୁ ଶନିବାର ମଧ୍ୟ ଆଉ ଏକ ବିପର୍ଯ୍ୟୟ ଘଟାଇବା ସହ ଟାଇଟଲ୍ ଜିତିବା ନେଇ ଦୃଢ଼ ମନୋବଳରେ ରହିଛନ୍ତି ।