ଭୁବନେଶ୍ୱର ୧୪/୦୫: ଜୁନ୍‌ ୧୨ ତାରିଖ, ରଜ ଅବସରରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ବାବୁସାନ ଫିଲ୍ମସ୍‌ର ନୂଆ ଫିଲ୍ମ  ‘ବୋଉ ବୁଟୁ ଭୂତ’ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଏ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ସବୁଠୁ ଅଧିକ  ଚର୍ଚ୍ଚା ଚାଲିଛି ବାବୁସାନ ଓ ଚୁଲ୍‌ବୁଲି କୁକିଜ୍‌ଙ୍କ ଉପରେ ଚିତ୍ରାୟିତ ଫିଲ୍ମର ଗୀତ ‘ଡୁଙ୍ଗୁଥିଲି...’ । ଭୁବନେଶ୍ୱରର  ଘାଟିକିଆ ଅଞ୍ଚଳରେ ଏ ଗୀତ ଦୃଶ୍ୟ ସୁଟିଂ ହୋଇଛି । ଗୀତର ଧାଡ଼ିଟି ବେଶ୍‌ ରୋଚକ - ‘ରାତି ବାରଟାରେ ତୁ ଆସିବୁ  ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି... ।’ 

କୁକିଜ୍‌ କୁହନ୍ତି, ଏ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା, ଆଲୋଚନା ।  ରଜରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଲେ ଦର୍ଶକ ଏହାର କାହାଣୀ ସହିତ ଏ ଗୀତକୁ ମଧ୍ୟ ଖୁବ୍‌ ଉପଭୋଗ କରିବେ ।  ପ୍ରଥମଥର ବାବୁସାନଙ୍କ ସହ ଅଭିନୟ ସୁଯୋଗ ପାଇ କୁକିଜ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି । ପୂର୍ବରୁ ସେ ‘ଆସ୍ତିକ ନାସ୍ତିକ’,  ‘ରକ୍ତ ତୀର୍ଥ’, ‘ଜ୍ୱାଇଁ ଆମର ଆମେରିକାନ’, ‘ଜବରଦସ୍ତ ଜ୍ୱାଇଁ’, ‘ତୋ ବିନୁ ଅନ୍ୟ ଗତି ନାହିଁ’, ‘କସ୍ତୁରୀ’, ‘ମା’  ପେଟରୁ ମୁଁ ଜଗତଜିତା’, ‘ହାଫ୍‌ ଲଭଷ୍ଟୋରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 

କୁକିଜ ଅଭିନୟ କରିଥିବା  ‘ପବିତ୍ର ବନ୍ଧନ’ ରିଲିଜ ଅପେକ୍ଷାରେ ରହିଛି । ‘ମେରି ମା’ କର୍ମା’ ନାମରେ ଏକ ଛତିଶଗଡ଼ି ଫିଲ୍ମରେ ମଧ୍ୟ ଦେଖିବାକୁ  ମିଳିଛନ୍ତି କୁକିଜ୍‌ । ହଁ, କହିରଖୁଛୁ ‘ବୋଉ ବୁଟୁ ଭୂତ’ରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ  ଅର୍ଚ୍ଚିତା । ବାବୁସାନ ଓ ଅର୍ଚ୍ଚିତା ପୂର୍ବରୁ ଏକାଧିକ ଫିଲ୍ମରେ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିସାରିଛନ୍ତି ।