ଭୁବନେଶ୍ୱର ୦୩/୧୦: ଆସୁଛନ୍ତି ଜଗତ୍‌ଜନନୀ । ସେଥିପାଇଁ ବିଭିନ୍ନ ଅନୁଷ୍ଠାନଠୁ ବଜାରପର୍ଯ୍ୟନ୍ତ ଚଳଚଞ୍ଚଳ । ଦୋକାନୀମାନେ ଦୋକାନରେ ସଜେଇସାରିଲେଣି ଭଳିକି ଭଳି ସାମଗ୍ରୀ । ଶାଢି, ପୋଷାକ, ଜୋତା,  ଅଳଙ୍କାର, ଆସବାବପତ୍ର ଆଦି ଭଳିକି ଭଳି ସାମଗ୍ରୀରେ ବଜାର ପୁରା  ସରଗରମ । ଗ୍ରାହକଙ୍କୁ ପୂଜା  ବଜାରରେ ଆକର୍ଷିତ କରିବା  ପାଇଁ ଦୋକାନୀମାନେ ମଧ୍ୟ  ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା କରିଛନ୍ତି ।  କିଏ ୨୦ ପ୍ରତିଶତ ରିହାତି  ଦେଉଛନ୍ତି ତ କିଏ ୩୦ ପ୍ରତିଶତ ।  ଏ ଭିତରେ ମହିଳାମାନଙ୍କ ମନକୁ  ଛୁଇଁବା ପାଇଁ ବଜାରକୁ ଆସିଛି ‘ନବଦୁର୍ଗା ଶାଢି’ ।  ଯେଉଁଥିରେ ମା’ଦୁର୍ଗାଙ୍କ ୯ଟି  ରୂପ ଦେଖିବାକୁ ମିଳୁଛି ।  

ସେଥିରେ ମା’ଶୈଳପୁତ୍ରୀ,  ମା’ ବ୍ରହ୍ମଚାରିଣୀ, ମା’ ଚନ୍ଦ୍ରଘଣ୍ଟା,  ମା’ସ୍କନ୍ଦମାତା, ମା’କାତ୍ୟାୟନୀ, ମା’  କାଳରାତ୍ରୀ, ମା’ ମହାଗୌରୀ, ମା’ ସିଦ୍ଧିଦାତ୍ରୀ ରୂପ ଶୋଭାପାଉଛି । ଶାଢ଼ିଟି  ବୋମକାଇ ସିଲ୍‌କରେ ପଟ୍ଟଚିତ୍ର କାମ  କରାଯାଇଛି । ଯାହାର  ମୂଲ୍ୟ ୧୯ ହଜାର  ଟଙ୍କା । ଏଥିସହିତ  ମଣ୍ଡପରେ ମା’ ଦଶଭୁଜାଙ୍କ ଆବାହନ, ମା’ ଦୁର୍ଗାଙ୍କ ଆବିର୍ଭାବ ଭଳି  ବିଭିନ୍ନ ପ୍ରସଙ୍ଗ ଆଧାରିତ  ଶାଢି ରହିଛି । ପଟ୍ଟଚିତ୍ର  କାମଗୁଡ଼ିକ କାଞ୍ଜିବରମ  ସିଲ୍କ୍‌, ସମ୍ବଲପୁରୀ  ସିଲ୍କ୍‌, ସମ୍ବଲପୁରୀ ପାଟ ଶାଢି,  ବୋମ୍‌କାଇ ସିଲ୍କ  ଭଳି ହସ୍ତତନ୍ତ ଶାଢିରେ  ପ୍ରସ୍ତୁତ ହୋଇଛି । ଶାଢିର କପଡ଼ା ଓ  କାମକୁ ନେଇ ଏହାର ମୂଲ୍ୟ ୧୫ ହଜାରରୁ ଆରମ୍ଭ ହୋଇ ୫୦ ହଜାର ପର୍ଯ୍ୟନ୍ତ ରହିଛି ।  କେବଳ ଶାଢ଼ି କାହିଁକି ପୋଷାକରେ ମତଧ୍ୟ  ଦୁର୍ଗା ମା’ଙ୍କ ପ୍ରତିଛବି ରହିଛି । ଯାହାର ମୂଲ୍ୟ  ୧ ହଜାର ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ  ରହିଛି । ବିଶେଷକରି ଧଳା ଓ ଲାଲ ରଙ୍ଗ  ମିଶା ଶାଢି ଅଧିକ ଖୋଜାପଡ଼ୁଛି ।   

ସେହିପରି ଏମ୍ବ୍ରୋଡୋରୀ କାମ ହୋଇଥିବା ପାକିସ୍ତାନୀ ସୁଟ୍‌, କକ୍‌ଟେଲ୍‌ ଗାଉନ,  କଟନ ନାଇରା ସୁଟ୍‌, ଚିକନ୍‌କରୀ ସୁଟ୍‌, ଏ  ଲାଇନ କୁର୍ତ୍ତାକୁ ମଧ୍ୟ ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି । ଯାହା ୧ ହଜାର ଟଙ୍କାରୁ  ୩ ହଜାର ଟଙ୍କାରେ ମିଳୁଛି । ଭି-କଟିଙ୍ଗ  ସୁଟ୍‌ ପ୍ରତି ମହିଳାମାନେ ଅଧିକ ଆକର୍ଷିତ  ହେଉଛନ୍ତି । ବିଗ୍‌ରେନ୍‌ ହସ୍ତତନ୍ତ ଦୋକାନ  ସ୍ୱତ୍ତ୍ୱାଧିକାରୀ ନିବେଦିତା ରାୟଙ୍କ କହିବା  କଥା, ବର୍ତ୍ତମାନ ଦୁର୍ଗା ପୂଜାକୁ ଲକ୍ଷ୍ୟ  କରି ଆମେ ପ୍ରସଙ୍ଗ ଭିତ୍ତିକ ଶାଢିର  ପସରା ଲଗାଇଛୁ । ମହିଳାମାନେ  ମଧ୍ୟ ଏହି ଶାଢିକୁ ପସନ୍ଦ  କରୁଛନ୍ତି । ଗ୍ରାହକମାନଙ୍କ ପାଇଁ  ଏହି ପଟ୍ଟଚିତ୍ର ଶାଢିରେ ଆମେ ୨୫ ପ୍ରତିଶତ ରିହାତି ଦେବା  ସହିତ ଅନ୍ୟାନ୍ୟ ହସ୍ତତନ୍ତ  ଶାଢିରେ ୨୦ ପ୍ରତିଶତରୁ  ୪୦ ପ୍ରତିଶତ ପର୍ଯ୍ୟନ୍ତ  ରିହାତି ଦେଉଛୁ । ଗ୍ରାହକମାନେ କିସ୍ତି  ଆକାରରେ ଟଙ୍କା ଦେବାର ବ୍ୟବସ୍ଥା ରଖିଛୁ । ଅନ୍‌ଲାଇନ କିଣାକିଣିରେ ମଧ୍ୟ ଉତ୍ସାହଜନକ  ରିହାତି ରହିଛି । ପ୍ରାୟ ସବୁଥିରେ ମିଳୁଛି  ଦମଦାର ଅଫର । ସେଥିପାଇଁ ଅନେକ  ଘରେ ବସି ବେଶ୍‌ ଭଲ କିଣାକିଣି କରୁଛନ୍ତି। ଯେଉଁଥିରେ ୩୦ରୁ ୬୦ ପ୍ରତିଶତ ରିହାତି  ମିଳିଯାଉଛି ।