ନୂଆଦିଲ୍ଲୀ,୧।୧୨: ଦିଲ୍ଳୀ ଓ ମୁମ୍ବାଇ ଭଳି ଦେଶର ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ସ୍ତର ବିପଦଜନକ ରୂପ ନେଇଛି। ସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ନିଶ୍ବାସ ନେବା ମଧ୍ୟ କଷ୍ଟକର ହୋଇଯାଇଛି। ବୟସ୍କ ଓ ଶିଶୁଙ୍କ ପାଇଁ ଏହା ସବୁଠାରୁ ଅଧିକ ବିପଦ ପାଲଟିଛି। ଦିଲ୍ଳୀ ପରେ ଏବେ ମୁମ୍ବାଇର ବହୁ ଗ୍ରାପ୍-୪ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଗ୍ରାପ୍-୪ କଟକଣା ଲାଗୁ ହୋଇଛି। ମଝଗାଓଁ, ଦେଭନାର, ମଲାଡ, ବୋରିଭଲି ଇଷ୍ଟ, ଚକଲା-ଅନ୍ଧେରୀ ଇଷ୍ଟ, ନେଭି ନଗର, ପଭଇ ଓ ମୁଲୃଣ୍ଡ ସହିତ ଆଖପାଖର ଅଞ୍ଚଳରେ ସର୍ବାଧିକ ବାୟୁ ପ୍ରଦୂଷଣ ସ୍ତର ରହିଛି। ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଥିବା ବେଳେ ଆଖି ଜଳାପୋଡା ଏବଂ ଗଳା ଖରାପ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସେପେଟ ଦିଲ୍ଲୀରେ ମଧ୍ୟ ଏକ୍ୟୁଆଇ ୪୦୦ ପାର କରିଛି।

ବିଏମସି ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଓ ଧୂଳି ଉଡାଉଥିବା ଗତିବିଧି ଉପରେ କଟକଣା ଲଗାଇ ଦେଇଛି। ୫୦ ରୁ ଅଧିକ ନିର୍ମାଣ ସ୍ଥଳର କାମ ରୋକିବାର ନୋଟିସ୍ ଜାରି କରାଯାଇଛି। ବେକରୀ, ମାର୍ବଲ କଟିଂ ୟୁନିଟ୍ ସହିତ ଛୋଟ ଉଦ୍ୟୋଗ ସ୍ଥଳକୁ ସଫାସୁତରା ରଖିବାକୁ କୁହାଯାଇଛି। ଏହା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଦୂଷଣ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଫ୍ଲାଇଂ ସ୍କ୍ବାର୍ଡ ମୁତୟନ କରାଯାଇଛି। ଇଞ୍ଜିନିୟର, ପୋଲିସକର୍ମୀ ଓ ଜିପିଏସ୍ ଟ୍ରାକ୍ କରୁଥିବା ବାହନ ଜରିଆରେ ସବୁ ଗତିବିଧି ଉପରେ ବିଏମସି କଡା ନଜର ରଖିଛି।

ସେପଟେ ଦିଲ୍ଲୀରେ ମଧ୍ୟ ଗ୍ରାପ୍-୪ କଟକଣା ଲାଗୁ ହୋଇଛି। ଦିଲ୍ଳୀ ସମେତ ପୁରା ଏନସିଆରରେ ବିଏସ୍-୩ ଓ ବିଏସ୍-୪ ଡିଜେଲ କାର ଉପରେ ରୋକ ଲଗାଯାଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡି ଅନ୍ୟ ଶ୍ରେଣୀର ପିଲାଙ୍କୁ ହାଇବ୍ରିଡ୍ ମଡେଲରେ ପଢାଇବାର ପରାମର୍ଶ ଦିଆଯାଇଛି। ପ୍ରାଇଭେଟ୍ କମ୍ପାନୀକୁ ଓ୍ବାର୍କଫ୍ରମ ହୋମ୍ ଓ ସରକାରୀ ଅଫିସରେ ୫୦% କର୍ମଚାରୀଙ୍କୁ ଓ୍ବାର୍କଫ୍ରମ ହୋମ୍ ପାଇଁ ନିର୍ଦେଶ ଦିଆଯାଇଛି। ଦିଲ୍ଲୀରେ ଟ୍ରକ ଏଣ୍ଟ୍ରିକୁ ମଧ୍ୟ ବ୍ୟାନ୍ କରି ଦିଆଯାଇଛି। ହାଇଓ୍ବେ ଓ ଫ୍ଲାଇଓଭର ଭଳି ସାର୍ବଜନୀକ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇ ଦିଆଯାଇଛି। ଏହା ସହ ଗ୍ରାପ୍-୪ ବେଳେ ଇନଫ୍ରାଷ୍ଟ୍ରକଚର ସମ୍ପର୍କିତ ଗତିବିଧି ଉପରେ ମଧ୍ୟ କଟକଣା ଲାଗୁ ହୋଇଛି।

ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବା ପିଏମ୍ଓ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପ୍ରଦୂଷଣ ପ୍ରମୁଖ କାରଣ ଜାଣିବାକୁ ନିର୍ଦେଶ ଦିଆଯାଇଛି। ପିଏମ୍ଓ ପକ୍ଷରୁ କୁହାଯାଇଛି, ବାୟୁ ପ୍ରଦୂଷଣ ସ୍ତର ବଢିବାର କାରଣ ହେଉଛି ଧୂଳି। ତେଣୁ ସହର ଓ ଆଖପାଖର ଗ୍ରାମୀଣ ଅଞ୍ଚଳର ସଡକକୁ ସୁଧାରିବାର କାମ କରାଯାଉ। ଯାହାଫଳରେ ବାହନରୁ ଉଡାଉଥିବା ଧୁଳି କମ୍ ହୋଇଯିବ। ଏହାଛଡା ସଡକ କଡ଼ରେ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି।