ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଛାତ୍ର ସଂଘର ପୂର୍ବତନ ସଭାପତି ରୌନକ ଖତ୍ରୀଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ସେ ବ୍ୟକ୍ତିଗତ ଭାବରେ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଧମକ ତାଙ୍କୁ କୁଖ୍ୟାତ ରୋହିତ ଗୋଦାରା ଦେଇଥିବା ଜଣାପଡିଛି । ଗ୍ୟାଙ୍ଗ ସହିତ ଜଡିତ ଜଣେ ବ୍ୟକ୍ତି ରୌନକଙ୍କ ହ୍ୱାଟସଆପ୍ ଆକାଉଣ୍ଟକୁ ୫ କୋଟି ଟଙ୍କା ଦାବି କରି ଏକ ମେସେଜ୍ ପଠାଇଛନ୍ତି।
ରୌନକ ଖତ୍ରୀ ହ୍ୱାଟସଆପ୍ ମାଧ୍ୟମରେ ଅନେକ ଧମକପୂର୍ଣ୍ଣ ମେସେଜ୍ ଏବଂ କଲ୍ ପାଇଛନ୍ତି । କଲର୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ,୫ କୋଟି ଟଙ୍କା ଦିଅ, ନଚେତ୍ ମରିବାକୁ ପ୍ରସ୍ତୁତ ରୁହ। ଏହି ମେସେଜ୍ ଏକ ବିଦେଶୀ ନମ୍ବରରୁ ଆସିଛି । ଧମକ ଦେଇଥିବା ବ୍ୟକ୍ତି ରୌନକ ଖତ୍ରୀଙ୍କୁ ହ୍ୱାଟସଆପ୍ ମାଧ୍ୟମରେ ଅନେକ ଥର ଫୋନ୍ ମଧ୍ୟ କରିଥିଲେ। କିନ୍ତୁ, ଯେତେବେଳେ ସେ ଉତ୍ତର ଦେଲେ ନାହିଁ, ସେହି ବ୍ୟକ୍ତି ଲେଖିଛନ୍ତି, "ଯଦି ତୁମେ ଫୋନର ଉତ୍ତର ନ ଦିଅ, ତେବେ ଗୁଳି ଖାଇବାକୁ ପ୍ରସ୍ତୁତ ରୁହ। ଏନେଇ ରୌନକ ପୋଲିସରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଉଲ୍ଲେଖ ଅଛି ଯେ ତାଙ୍କୁ ଏକ ଅଜଣା ନମ୍ବରରୁ ଅନେକ କଲ୍ ଏବଂ ୫ କୋଟି ଟଙ୍କା ଦାବି କରି ଏକ ହ୍ୱାଟସଆପ୍ ମେସେଜ୍ ଆସିଛି। ଦାବି ପୂରଣ ନ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ମିଳିଛି । ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସର ସାଇବର ୱିଙ୍ଗ ଏବଂ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।ଧମକ ପରେ, ରୌନକ ଖତ୍ରୀ ପୋଲିସ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଖତ୍ରୀ ପୋଲିସକୁ ନମ୍ବର ଟ୍ରାସ୍ କରି ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି।