ନୂଆଦିଲ୍ଲୀ,୦୩/୦୭; ଆସନ୍ତା ୬ ତାରିଖ ପୃଥିବୀ ସୂର୍ଯ୍ୟଠୁ ସର୍ବାଧିକ ଦୂରରେ ଅବସ୍ଥାନ କରିବ । ପ୍ରତି ବର୍ଷ ଏହି ଘଟଣା ଘଟେ । ଏହାକୁ ଆପହେଲିଅନ୍ କୁହାଯାଏ । ଦୁଇଟି ଗ୍ରୀକ୍ ଶବ୍ଦ ‘ଏପୋ’ ଓ ‘ହେଲିଅସ୍’ର ମିଶ୍ରଣରେ ଏହି ଶବ୍ଦର ଉତ୍ପତ୍ତି, ଯାହାର ଅର୍ଥ ଯଥାକ୍ରମେ ‘ଦୂର’ ଓ ‘ସୂର୍ଯ୍ୟ’ । ଆପହେଲିଅନ୍‌ରେ ପୃଥିବୀ ସୂର୍ଯ୍ୟଠୁ ୧୫୨.୧ ନିୟୁତ କିମି ଦୂରରେ ଅବସ୍ଥାନ କରିବ । ପେରିହେଲିଅନ୍‌ରେ ପୃଥିବୀ ଜାନୁଆରୀ ଆରମ୍ଭରେ ଯେତେବେଳେ ସୂର୍ଯ୍ୟର ସବୁଠୁ ନିକଟରେ ଥିଲା, ସେତେବେଳେ ସୂର୍ଯ୍ୟଠୁ ତା’ର ଦୂରତା ଥିଲା ୫ ନିୟୁତ କିମି । ବର୍ଷ ସାରା ଏହି ଦୂରତାରେ ମାତ୍ର ପ୍ରାୟ ୩% ଅନ୍ତର ଥାଏ, କାରଣ ପୃଥିବୀର କକ୍ଷ ଟିକିଏ ଅଣ୍ଡାକାର, ସମ୍ପୂର୍ଣ୍ଣ ଗୋଲ ନୁହେଁ ।

ସୂର୍ଯ୍ୟଠୁ ପୃଥିବୀର ହାରାହାରି ଦୂରତା ପ୍ରାୟ ୧୫୦ ନିୟୁତ କିମି କିମ୍ବା ୧ ଆଷ୍ଟ୍ରୋନୋମିକାଲ ୟୁନିଟ୍ (ଏୟୁ) । ଆପେହେଲିଅନ୍‌ରେ ସୂର୍ଯ୍ୟଠୁ ପୃଥିବୀର ଦୂରତା ୧.୦୧୬୬ ଏୟୁ, ଅନ୍ୟପକ୍ଷେ ଗତ ଜାନୁଆରୀରେ ପେରିହେଲିଅନ୍ରେ ସୂର୍ଯ୍ୟଠୁ ଏହା ୦.୯୮ ଏୟୁରେ ଥିଲା । ସୂର୍ଯ୍ୟଠୁ ସର୍ବାଧିକ ଦୂରରେ ଅବସ୍ଥାନ ସତ୍ତେ୍ୱ ଉତ୍ତର ଗୋଲାର୍ଦ୍ଧରେ ଏବେ ଗ୍ରୀଷ୍ମଋତୁ ଚାଲିଛି । ବାସ୍ତବରେ ଆପେହେଲିଅନ୍ ସର୍ବଦା ଜୁଲାଇ ଆରମ୍ଭରେ ପଡ଼େ ଏବଂ ପେରିହେଲିଅନ୍ ଜାନୁଆରୀ ଆରମ୍ଭରେ ପଡ଼େ । ଏହାର କାରଣ ସୂର୍ଯ୍ୟଠୁ ପୃଥିବୀର ଦୂରତା ନୁହେଁ, ପୃଥିବୀର ଅକ୍ଷ ୨୩.୫ ଡିଗ୍ରୀ ଢଳି ରହିବା ଯୋଗୁ ଋତୁ ପରିବର୍ତ୍ତନ ହୋଇଥାଏ । ଜୁଲାଇରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳି ରହିଛି, ତେଣୁ ସୂର୍ଯ୍ୟାଲୋକ ସିଧାସଳଖ ପଡୁଛି ଏବଂ ଦିନର ଅବଧି ଅପେକ୍ଷାକୃତ ଲମ୍ବା ହେଉଛି । ଶୀତଋତୁରେ ତୀର୍ଯ୍ୟକ୍ ସୂର୍ଯ୍ୟାଲୋକ ତୁଳନାରେ ଗ୍ରୀଷ୍ମଋତୁ ସମୟରେ ସିଧା ସୂର୍ଯ୍ୟାଲୋକ ମଧ୍ୟ-ଉତ୍ତର ଅକ୍ଷାଂଶକୁ ୩ ଗୁଣରୁ ଅଧିକ ଉତ୍ତପ୍ତ କରିଥାଏ ।

ନାସା ଅନୁସାରେ, ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁର ଅବଧି ତୁଳନାରେ ପ୍ରକୃତରେ ୨-୩ ଦିନ ଲମ୍ବା । ପୃଥିବୀ ୩୬୫ ଦିନ, ୬ ଘଣ୍ଟା, ୯ ମିନିଟ୍‌ରେ ସେକେଣ୍ଡ ପିଛା ୨୯.୨୯ରୁ ୩୦.୨୯ କିମି ବେଗରେ ସୂର୍ଯ୍ୟ ଚତୁଃପାଶ୍ୱର୍ରେ ପରିକ୍ରମା କରେ । ଏହି ୬ ଘଣ୍ଟା, ୯ ମିନିଟ୍ ପ୍ରତି ୪ ବର୍ଷରେ ଗୋଟିଏ ଅତିରିକ୍ତ ଦିନ ଯୋଡ଼େ, ଯାହା ଅଧିବର୍ଷ ଭାବେ ପରିଚିତ । ଫେବ୍ରୁଆରୀ ୨୯ ରୂପେ ଏହି ଅତିରିକ୍ତ ଦିନ ଯୋଡ଼ି ହୋଇଛି । ପୃଥିବୀର କକ୍ଷପଥ ଅଣ୍ଡାକାର । ପ୍ରତି ବର୍ଷ ପ୍ରାୟ ଜାନୁଆରୀ ୪ ତାରିଖରେ ଏହା ସୂର୍ଯ୍ୟର ସବୁଠୁ ନିକଟତର ୧୪୭,୦୯୦,୦୦୦ କିମି ପେରିହେଲିଅନ୍‌ରେ ଅବସ୍ଥାନ କରେ । ୬ ମାସ ପରେ ଏହା ୧୫୨,୦୦୦,୦୦୦ କିମି ଆପହେଲିଅନ୍କୁ ଆସେ । ପେରିହେଲିଅନ୍ ତୁଳନାରେ ଆପହେଲିଅନ୍ରେ ସୂର୍ଯ୍ୟ ଆକାଶରେ ପ୍ରାୟ ୩.୪%ରୁ ୩.୬% ଛୋଟ ଦେଖାଯାଏ । ଏହି ପରିବର୍ତ୍ତନ ଏତେ ଛୋଟ ଯେ ଖାଲି ଆଖିରେ ଦେଖାଯାଏ ନାହିଁ । ରିପୋର୍ଟ ଅନୁସାରେ, ଆପହେଲିଅନ୍‌ରେ ସୂର୍ଯ୍ୟାଲୋକ ପେରିହେଲିଅନ୍ ତୁଳନାରେ ୭% କମ୍ ପ୍ରଖର ।

ଏହା ବି ପଢନ୍ତୁ...Govt Notices To Telegram & Signal : ହ୍ୱାଟ୍ସଆପ ପରେ, ଟେଲିଗ୍ରାମ୍ ଓ ସିଗନାଲ ଉପରେ ସରକାରଙ୍କ ଆକ୍ସନ, ପଚାରିଲେ- କାହିଁକି ୟୁଜରନେମ ଫିଚରକୁ ହଟାଯିବ ନାହିଁ ?