ନୂଆଦିଲ୍ଲୀ,୧୯।୪: ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର। ମଧ୍ୟାହ୍ନ ପ୍ରାୟ ୧୨ଟା ୧୭ ମିନିଟ୍‌ରେ ଝଟକା ଅନୁଭୂତ ହୋଇଥିବା ବେଳେ ଭୟଭୀତ ହୋଇଯାଇଥିଲେ ଲୋକେ। ତେବେ ଏହା ହାଲକାରୁ ମଧ୍ୟମ ଧରଣର କମ୍ପନ ଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି(ଏନ୍‌ସିଏସ୍‌)ର ସୂଚନା ଅନୁସାରେ, ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ୮୬ କିଲୋମିଟର ତଳେ ଥିଲା ଓ ଏହାର କେନ୍ଦ୍ର ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଥିଲା। ଏହି ଅଞ୍ଚଳ ପୂର୍ବରୁ ହିଁ ଭୂମିକମ୍ପ ପ୍ରବଣ ଅଞ୍ଚଳ ବୋଲି ମନେକରାଯାଉଛି।

କେବଳ ଦିଲ୍ଲୀ  ଏନ୍‌ସିଆର  ନୁହେଁ  କାଶ୍ମୀର ଘାଟିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଲୋକ ମଧ୍ୟ ନିଜ ଘର ଅଫିସରୁ ବାହାରି ଯାଇଥିଲେ। ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ରୀନଗରର ଏକ ବିଲ୍ଡିଂରୁ ବାହରକୁ ପଳାଇ ଯାଉଛନ୍ତି।  ଏପର୍ଯ୍ୟନ୍ତ କୌଣସି ପ୍ରକାର ଧନଜୀବନ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନି। ପ୍ରଶାସନର କହିବା ଅନୁସାରେ,ସ୍ଥିତି ଉପରେ ନଜର ରଖାଯାଇଛି ଓ ରିଲିଫ୍ ଏବଂ ଉଦ୍ଧାର ଟିମ୍‌କୁ ସତର୍କ କରି ଦିଆଯାଇଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଗଭୀରତାରେ ଆସିଥିବା ଭୂକମ୍ପରୁ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା କମ୍  ରହିଥାଏ।

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ୟୁରୋସିଆନ୍ ଓ ଇଣ୍ଡୋ-ଅଷ୍ଟେ୍ରଲିଆ ଫ୍ଲେଟସ୍‌ ସହ ମାଡ ହେବା କାରଣରୁ ଭୂକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସକ୍ରିୟ ରହିଛି। ଏଠାକୁ ନିୟମିତ ଅନ୍ତରାଳରେ ଭୂକମ୍ପ ଆସିଥାଏ। ନିକଟରେ କିଛି ବର୍ଷରେ ଏହି ଅଞ୍ଚରେ ବହୁବାର ତୀବ୍ର ଝଟକା ଅନୁଭୂତ ହୋଇସାରିଛି।