ନୂଆଦିଲ୍ଲୀ, ୧୩/୯ : ଋଷରେ ତୀବ୍ର ଭୂମିକମ୍ପ। ବଢିଲା ସୁନାମି ଭୟ। ୭.୧ ତୀବ୍ରତାରେ ଥରିଲା କାମଚଟ୍କା ଦ୍ଵୀପ। ଶନିବାର ସକାଳେ ଋଷର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳୀ ୧୦ କିଲୋମିଟର ତଳେ ଥିବା ଜର୍ମାନ ଭୂବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଅନୁମାନ କରିଛି। ସେହିପରି ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ଏହାର ତୀବ୍ରତା ୭.୪ ଓ ଗଭୀରତା ୩୯.୫ କିଲୋମିଟର ରେକର୍ଡ କରିଛି। ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି ଯୟକ୍ଷତିର ରିପୋର୍ଟ ଆସିନାହିଁ।
ଜୁଲାଇ ମାସରେ ୮.୮ ତୀବ୍ରତା ବିଶିଷ୍ଟ ଭୂକମ୍ପର ଭୟଙ୍କର ଚିତ୍ର ମନରୁ ନଲିଭୁଣୁ ଋଷରେ ପୁଣି ଭୂକମ୍ପ ଝଟ୍କା ଲାଗିଛି। ଏହି ଭୂମିକମ୍ପ ସୁନାମି ଆଣିପାରେ ବୋଲି ପ୍ରଶାନ୍ତ ମହାସାଗରୀୟ ସୁନାମି ସତର୍କତା କେନ୍ଦ୍ର ଚେତାବନୀ ଦେଇଛି। ତେବେ ଜାପାନ ପକ୍ଷରୁ କୌଣସି ଚେତାବନୀ ଜାରି ହୋଇନଥିବା ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି।
କାମଚଟ୍କା ଦ୍ଵୀପ ଭୂବୈଜ୍ଞାନିକ ଦୃଷ୍ଟିରୁ ଏକ ସକ୍ରିୟ କ୍ଷେତ୍ର। ଏହା ପ୍ୟାସିଫିକ୍ ରିଙ୍ଗ ଅଫ୍ ଫାୟାରର ଅଂଶ। ଏହା ଭୂମିକମ୍ପ ଓ ଅଗ୍ନେୟଗିରି ଉଦଗୀରଣ ପ୍ରବଣ ଅଞ୍ଚଳ। ଏହି ଅଞ୍ଚଳରେ ଅଧିକାଂଶ ବିନାଶକାରୀ ଭୂମିକମ୍ପ ଅନୁଭୂତ ହୁଏ। ୧୯୫୨ରେ କାମଚଟ୍କା ଦ୍ଵୀପରେ ୯.୦ ତୀବ୍ରତାର ଭୂମିକମ୍ପ ବିନାଶଲୀଳା ରଚିଥିଲା। ସୁନାମିରେ ସବୁକିଛି ଛାରଖାର୍ ହୋଇଯାଇଥିଲା। ଏଠାରେ ଅନୁଭୂତ ହୋଇଥିବା ଭୂକମ୍ପ ଭିତରେ ଏହା ସବୁଠୁ ଅଧିକ ତୀବ୍ରତାର ଭୂକମ୍ପ ଥିଲା।