କୋଲକାତା, ୨୧/୧୧ : ଭୂକମ୍ପ ଝଟ୍କାରେ ଥରିଲା କୋଲକାତା। ଶୁକ୍ରବାର ସକାଳ ୧୦ଟା ୧୦ରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଡୋଶୀ ଦେଶ ବାଂଲାଦେଶର ଟୁଙ୍ଗୀରେ ଥିଲା। ଭୂକମ୍ପ ଅନୁଭୂତ ହେବା ବେଳେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ୟୁରୋପିଆନ ମେଡିଟେରେନିୟନ ସେଣ୍ଟର ଫର ସିସ୍ମୋଲୋଜୀ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରୁ ୨୭ କିମି ପୂର୍ବରେ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। କୋଲକାତା ସହ ଉତ୍ତର ବଙ୍ଗ ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭବ ହୋଇଛି। କୁଚବିହାର, ଦିନାଜପୁରରେ ମଧ୍ୟ ଝଟ୍କା ଲାଗିଛି।
ସେପଟେ ଶୁକ୍ରବାର ସକାଳେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ। ପାକିସ୍ତାନ ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପୀୟ ବଳୟ ମଧ୍ୟରେ ଅବସ୍ଥିତ। ଯେଉଁଠାରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହିତ ଧକ୍କା ହୁଅନ୍ତି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ୱା ଏବଂ ଗିଲଗିଟ-ବାଲ୍ଟିସ୍ତାନ - ସିଧାସଳଖ ପ୍ଲେଟ୍ ସୀମାରେ ଅବସ୍ଥିତ। ଏହି ଅଞ୍ଚଳଗୁଡ଼ିକରେ ପ୍ରାୟତଃ ମଧ୍ୟମରୁ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୁଏ। ସେହିପରି ଆରବ ଏବଂ ୟୁରେସିଆନ୍ ପ୍ଲେଟର ସୀମାରେ ଅବସ୍ଥିତ ବେଲୁଚିସ୍ତାନ ଦେଶର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଖାଇବର ଅଞ୍ଚଳ ଏବଂ ଗିଲଗିଟ-ବାଲ୍ଟିସ୍ତାନରେ ମଧ୍ୟ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି।