ନୂଆଦିଲ୍ଲୀ,୧୮/୦୫: ଭାରତ ଏବଂ ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ଆଜି ସକାଳ ପ୍ରାୟ ୫ ଟା ୬ ମିନିଟ ସମୟରେ ଭାରତର ଅରୁଣାଚଳ ପ୍ରଦେଶରେ ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର କେନ୍ଦ୍ରସ୍ଥଳ ଦିବାଙ୍ଗ ଉପତ୍ୟକାର ୧୦ କିଲୋମିଟର ଗଭୀରରେ ଅବସ୍ଥିତ। ଯଦିଓ ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ସେହିପରି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ,ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ୫୦ସମୟରେ, ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୫୮ କିଲୋମିଟର ଗଭୀରରେ ଠାବ କରାଯାଇଛି।
ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରକାଶ ଥାଉକି, ୧୭ ମଇରେ ମିଆଁମାର ଏବଂ ପେରୁରେ ମଧ୍ୟ ଭୂମିକମ୍ପ ହୋଇଥିଲା। ମିଆଁମାରରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଥିଲା ଏବଂ ପେରୁରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରେକର୍ଡ କରାଯାଇଥିଲା। ଯଦିଓ ଉଭୟ ଦେଶରେ ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ, ତଥାପି ଲୋକଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।