କୋଲକାତା,୦୩/୦୫: ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ରେ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମ୍ରେ ବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା ୨୧ ତାରିଖରେ ଫାଲତା ବିଧାନସଭା ଆସନର ସମସ୍ତ ୨୮୫ଟି ବୁଥରେ ସାନି ମତଦାନ କରାଯିବ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମେ ୨୪ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।
ଇଭିଏମ୍ରେ ହେରଫେର ସହ ବ୍ୟାପକ ହିଂସାକାଣ୍ଡ ଘଟଣା
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଫାଲତା ଆସନ ଅଞ୍ଚଳରେ ଭୋଟରମାନେ ଟିଏମ୍ସି କର୍ମକର୍ତ୍ତାଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଅନୁସାରେ, ଭୋଟିଂ ପରେ ଟିଏମ୍ସିର ଲୋକମାନେ ଆସି ସେମାନଙ୍କୁ ମାର୍ପିଟ୍ କରିଥିଲେ । ସେମାନେ ଏହାର ବିରୋଧ କରିବାରୁ ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏଥିରେ ଅନେକ ଲୋକଙ୍କ ଗୋଡ଼, ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଆଜି ପଶ୍ଚିମବଙ୍ଗର ଡାଏମଣ୍ଡ ହାର୍ବର ଓ ମଗରାହାଟ ପଶ୍ଚିମ ବିଧାନସଭାର ମୋଟ ୧୫ ବୁଥରେ ଶନିବାର ସାନି ମତଦାନ ହୋଇଛି । ଏପ୍ରିଲ ୨୯ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଳେ ଏହିସବୁ ବୁଥ୍ରେ ବିଭିନ୍ନ ଅନିୟମିତତା ଅଭିଯୋଗ ହୋଇଥିଲା ।
ଶନିବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ଦୁଇଟି ବିଧାନସଭା ଆସନର ଏହି ୧୫ ବୁଥ୍ରେ ୯୦ ପ୍ରତିଶତ ମତଦାନ ହୋଇଛି । ସାନି ମତଦାନ ବେଳେ ଦକ୍ଷିଣ ୨୪ ପ୍ରଗଣାରେ ଟିଏମ୍ସି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀଙ୍କୁ ଶାନ୍ତ କରାଇଥିଲେ । ଫଳରେ ପରିସ୍ଥିତି ଅଧିକ ବିଗିଡ଼ି ନ ଥିଲା । ଅନ୍ୟପକ୍ଷରେ ମଗରାହାଟର ବୁଥ୍ ନମ୍ବର ୧୨୭ରେ ସୁରକ୍ଷା ବଳ ଟିଏମ୍ସି ଶିବିରରେ ଭଙ୍ଗାରୁଜା କରିଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସମୟରେ ଦଳୀୟ କର୍ମକର୍ତ୍ତାଙ୍କୁ ମାର୍ପିଟ୍ କରାଯାଇଥିବା ନେଇ ମଧ୍ୟ ଟିଏମ୍ସି କହିଛି ।
ଅଧିକ ପଢ଼ନ୍ତୁ :- ଭୋଟ ଗଣତି କେଉଁ ଅଧିକାରୀଙ୍କ ଦ୍ବାରା କରାଯିବ, ତା’ର ଅଧିକାର ନିର୍ବାଚନ କମିଶନଙ୍କର ରହିଛି : ସୁପ୍ରିମକୋର୍ଟ
ନିର୍ବାଚନ କମିଶନଙ୍କ ସୂତ୍ର ମୁତାବକ, ମଗରାହାଟ ପଶ୍ଚିମର ୧୧ ବୁଥ୍ରେ ୮୬.୧୧% ଏବଂ ଡାଏମଣ୍ଡ ହାର୍ବରର ୪ ବୁଥ୍ରେ ୮୭.୬୦% ମତଦାନ ହୋଇଛି । ନିର୍ବାଚନ କମିଶନ ରାଜ୍ୟରେ ଆଉ ୧୬୫ କାଉଣ୍ଟିଙ୍ଗ୍ ଅବଜର୍ଭର ଏବଂ ୭୭ ପୁଲିସ ଅବଜର୍ଭର ମୁତୟନ କରିଛନ୍ତି । ମେ ୪ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ ।