ଜୟପୁର : ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାୱାସଙ୍କ ଘରେ ଇଡିର ଚଢାଉ। ମଙ୍ଗଳବାର ଦିନ ଇଡି ଜୟପୁରର ସିଭିଲ ଲାଇନ୍ସ ଅଞ୍ଚଳ ସ୍ଥିତ ତାଙ୍କ ନିବାସରେ ହଠାତ୍‌ ଚଢାଉ କରିଛି। କେନ୍ଦ୍ର ଏଜେନ୍ସିର ହଠାତ୍‌ ଏପରି ଚଢାଉରେ ରାଜ୍ୟର ରାଜନୀତିକ ମାହୋଲ ସରଗରମ ହୋଇଛି। କଂଗ୍ରେସ ନେତା ମାନେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇ ଏହାକୁ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। 

ଯେତେବେଳେ ଇଡିର ଅଧିକାରୀ ଘର ଭିତରେ ତଲାସୀ ଅଭିଯାନ ଜାରି ରଖି ଥିଲେ , ସେତେବେଳେ ଖାଚରିୟାୱାସ ମିଡ଼ିଆ ସହ କଥାବାର୍ତ୍ତା ହେବାକୁ ବାହାରକୁ ଆସିଲେ ଓ ସ୍ପଷ୍ଟ କରିଥିଲେ କି, ସେ ଏଜେନ୍ସିକୁ ପୂର୍ଣ୍ଣ ସହଯୋଗ କରିବେ। ସେ କହିଥିଲେ, ସେ ତାଙ୍କ କାମ କରୁଛନ୍ତି , ମୁଁ ନିଜ କାମ କରିବି। ମୋ ପାଖରେ ଲୁଚାଇବାକୁ କିଛି ବି ନାହିଁ। 

ଗତ ଅଶୋକ ଗେହଲତ ସରକାରରେ ପ୍ରମୁଖ ପଦରେ ଥିବା ଏହି କଂଗ୍ରେସ ନେତା କହିଛନ୍ତି , ତାଙ୍କୁ ପୂର୍ବରୁ କୌଣସି ନୋଟିସ୍‌ ଜାରି କରାଯାଇ ନଥିଲା। ଇଡିର ଅଧିକାରୀ ସିଧା ମୋ ଘରେ ପହଞ୍ଚିଲେ। କିନ୍ତୁ ମୁଁ ଡ଼ରି ନାହିଁ। ତାଙ୍କୁ ସବୁକିଛି ଭଲ ଭାବେ ଯାଞ୍ଚ କରିବାକୁ ଦେଇଛି। ପ୍ରତାପ ସିଂହ ବିଜେପି ଉପରେ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ୍‌ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଦୁରୁପଯୋଗ କରିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। 


ସେ କହିଛନ୍ତି , ସରକାର ଆସେ ଯାଏ। ଦିନେ ରାହୁଲ ଗାନ୍ଧୀ କ୍ଷମତାକୁ ଆସିବେ ଏବଂ ସେତେବେଳେ ବିଜେପିର ପାଳି ପଡିବ। ଯଦି ସେ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ପାରୁଛନ୍ତି , ତେବେ ଆମେ ବି ଆମ ସମୟ ଆସିଲେ ପଛକୁ ହଟିବୁ ନାହିଁ। ସେ କ୍ଷମତାସୀନ ପାର୍ଟିକୁ ଭବିଷ୍ୟତରେ ମଧ୍ୟ ଏହି ପ୍ରକାରର ବ୍ୟବହାରର ଚେତାବନୀ ଦେଇଛନ୍ତି।