ଭୁବନେଶ୍ୱର,୨୩/୦୫: କୋଟିଆର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ୧୬ଜଣିଆ କମିଟି ଗଠନକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆବାସୀଙ୍କ ସହ ଆମର ଭାବାବେଗ ଜଡ଼ିତ ରହିଛି।
କେନ୍ଦ୍ରମନ୍ତ୍ରୀ ଏକ୍ସରେ ଆହୁରି ମଧ୍ୟ କହିଛନ୍ତି , କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କୋଟିଆ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର, ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ କମିଟି ଗଠନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ କହିଛନ୍ତି, ଓଡ଼ିଶାର ସୀମାକୁ ଭୌଗୋଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ମୁଁ ପୂର୍ବରୁ କୋଟିଆ ଗସ୍ତରେ ଯାଇଥିଲି । କୋଟିଆର ସ୍ଥାୟୀ ସମାଧାନ ପାଇଁ ଅନେକ ଥର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛି । ଅନୁରୋଧ ଓ ଦାବି ସତ୍ତ୍ୱେ ପୂର୍ବ ସରକାର ଏହି ବିଷୟରେ କର୍ଣ୍ଣପାତ କରିନଥିଲେ । ରାଜ୍ୟ ସରକାର ନେଇଥିବା ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପାଇବେ । ଆମ ଓଡ଼ିଆ ଭାଷା, ସଂସ୍କୃତି, ଅସ୍ମିତା, ସାହିତ୍ୟ, ପରମ୍ପରା ଓ ପର୍ବପର୍ବାଣୀର ପ୍ରଚାର ପ୍ରସାର ହେବ । ରାଜ୍ୟର ଭୌଗୋଳିକ ସୀମା ସୁରକ୍ଷିତ ରହିବ । କୋଟିଆବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।