ଭୁବନେଶ୍ୱର,୨୧/୧୨: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କା ଛୁଇଁଛି । ଗୋଟିଏ ପଟେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଅଣ୍ଡା ଦର ଶୁଣିବା ବେଳକୁ ମୁଣ୍ଡ ଗରମ ହୋଇଯାଉଛି । କେବଳ ଭୁବନେଶ୍ୱରରେ ନୁହେଁ କଟକରେ ମଧ୍ୟ ସମାନ ସ୍ଥିତି । ଗାଁରେ ଅଣ୍ଡା ଆଦୌ ମିଳୁନି । ବେପାରୀଙ୍କ କହିବା କଥା, ଫାର୍ମରେ ଅଣ୍ଡା ଅଭାବ ପଡ଼ିଛି। ସେଠାକୁ ଆବଶ୍ୟକ ପରିମାଣର ଅଣ୍ଡା ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତଥାପି ଆସନ୍ତାମାସ ବେଳକୁ ଦର ଖସିଆସିବ ବୋଲି ଅନୁମାନ କରାଯାଇଛି ।

ଏବେ ଭୁବନେଶ୍ୱରକୁ ଦୈନିକ ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରୁ ୧୦ ଗାଡ଼ି ଅଣ୍ଡା ଆସୁଛି । ପ୍ରତି ଗାଡ଼ିରେ ୩୦୦ କାର୍ଟୁନ ରହୁଛି । ଗୋଟିଏ କାର୍ଟୁନରେ ୨୧୦ଟି ଅଣ୍ଡା ଥାଏ । ସେଦୃଷ୍ଟିରୁ ମୋଟ ୬ ଲକ୍ଷ ୩୦ହଜାର ଅଣ୍ଡା ଭୁବନେଶ୍ୱରକୁ ଆସେ । ସେଥିରୁ ବିଭିନ୍ନ ବଜାର, ହାଟ, ହୋଟେଲ, ବିଭିନ୍ନ ଫୁଡ୍ ଷ୍ଟଲ ଦୋକାନକୁ ଯାଏ । ତେଣୁ ଅଣ୍ଡାର ଚାହିଦା ବଢ଼ିବାରେ ଲାଗିଛି । ଯେତିକି ଅଣ୍ଡା ଆସିବା କଥା, ସେତିକି ଆସୁନି ।

ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସଙ୍କ କହିବା କଥା, ଭୁବନେଶ୍ୱରକୁ ୨୦ ଗାଡ଼ି ଅଣ୍ଡା ଦରକାର । ଅର୍ଥାତ ଦିନକୁ ୧୨ଲକ୍ଷ ୬୦ହଜାର ଅଣ୍ଡା ଆବଶ୍ୟକ ପଡ଼ୁଥିବା ବେଳେ ତାର ଅଧା ଆସୁଛି । ସେଥିପାଇଁ ପ୍ରତ୍ୟେକ ଦିନ ଖର୍ଚ୍ଚାନ୍ତ ହୋଇ ବେପାରୀମାନେ ଅଣ୍ଡା ମଗାଉଛନ୍ତି । ଜଣେ ବେପାରୀ ପ୍ରମିଳା ସେଠୀ କହିଛନ୍ତି, ଗତ ଦୁଇମାସ ହେବ ଦର ଉପରତଳ ହେବାରେ ଲାଗିଛି । ଏବେ ହଠାତ୍ ଅଣ୍ଡା ମିଳୁନି । ସେଥିପାଇଁ ସେ ଅଧିକ ଆଣୁଛନ୍ତି । ଦୁଇମାସ ତଳେ ଅଣ୍ଡା ଦର ୭ଟଙ୍କା ଥିଲା, ପରେ ୮ଟଙ୍କା ଓ ଏବେ ୯ଟଙ୍କା ପଡ଼ିଲାଣି ।

ଓଡ଼ିଶା ପୋଲଟ୍ରି ଟ୍ରେଡର୍ସ ଆସୋସିଏସନର ସମ୍ପାଦକ ଜ୍ୟୋତିକାନ୍ତ ମହାପାତ୍ରଙ୍କ କହିବା ଅନୁସାରେ, ଗତ କିଛିମାସ ହେବ ଓଡ଼ିଶା ସମେତ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ବିହାର ଭଳି ପ୍ରାନ୍ତରେ ବାର୍ଡ-ଫ୍ଲୁ ହୋଇଥିଲା । ଫଳରେ ହଜାର ହଜାର କୁକୁଡ଼ା ମରିଗଲେ । ଫଳରେ ଅଣ୍ଡା ଉତ୍ପାଦନ ହ୍ରାସ ପାଇଛି । ସେଥିପାଇଁ ରାଜ୍ୟରେ ଥିବା ବିଭିନ୍ନ ଫାର୍ମକୁ ଅଣ୍ଡା ଆସୁନି । ଯେତିକି ଆସୁଛି, ତାହା କିଛି ଘଣ୍ଟାରେ ବିକ୍ରି ହୋଇଯାଉଛି । କମ୍ ଅଣ୍ଡା ଆସୁଥିବାରୁ ଦର ବଢ଼ିଛି ।

ଅପରପକ୍ଷେ, ପର୍ଯ୍ୟାପ୍ତ ଅଣ୍ଡା ମିଳିବାର କାରଣ ଶୀତଳଭଣ୍ଡାର ଅଭାବ ବୋଲି ବେପାରୀମାନେ କହିଛନ୍ତି । ଶୀତଦିନେ ଟିକେ ଚଳିଯିବ । ହେଲେ ଗରମ ପଡ଼ିଲେ, ଅଣ୍ଡା ବେଶୀଦିନ ରହିବନି ଦୀର୍ଘଦିନ ହେବ ଆମିଷ, ବିଶେଷକରି ଅଣ୍ଡାକୁ ଗଚ୍ଛିତ ରଖିବା ପାଇଁ ରାଜଧାନୀ ସମେତ କଟକ ଓ ରାଜ୍ୟର ବଡ଼ବଡ଼ ସହରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଆସୁଛି । ଶୀତଳଭଣ୍ଡା ରହିଲେ, ୩ମାସ ପର୍ଯ୍ୟନ୍ତ ଅଣ୍ଡା ଗଚ୍ଛିତ ହୋଇରହିବ । ହେଲେ ଶୀତଳଭଣ୍ଡାର ସ୍ଥାପନ ହୋଇପାରୁନି । ଫଳରେ ଅଣ୍ଡା ନଷ୍ଟ ହୋଇଯାଏ । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ କଲେ, ଅଧିକରୁ ଅଧିକ ଅଣ୍ଡା ଆସିପାରନ୍ତା