କଟକ,୨୪/୦୩: ଶେଷ ହେବାକୁ ବସିଛି  ରମ୍‌ଜାନ୍‌ ମାସ । ସପ୍ତାହକ ପରେ ପାଳନ କରାଯିବ ପବିତ୍ର ଇଦ୍‌ ଉଲ୍‌ ଫିତର୍‌(ଇଦ୍‌) । ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ଏହି ଇଦ୍‌ ପାଳନ କରିବାକୁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଶେଷକରି  କଟକରେ ଇଦ୍‌ର ବଜାର ଜମି ଆସିଲାଣି । ପୋଷାକ ସୋ’ରୁମ୍‌ରେ ଆକର୍ଷଣୀୟ ଅଫର୍‌ ଲାଗିଥିଲା ବେଳେ ଟେଲର୍‌ ଦୋକାନରେ ମାଳ ମାଳ ଅର୍ଡର । ଏଭଳି  ସ୍ଥିତିରେ ଚଳିତ ବର୍ଷ ଇଦ୍‌ ବଜାରରେ ଟ୍ରେଣ୍ଡିଂରେ ରହିଛି  ବଲିଉଡ୍‌ ଫିଲ୍ମ ‘ସିକନ୍ଦର୍‌’ କୁର୍ତ୍ତା । ଏଥିରେ ଅଭିନେତା  ସଲ୍‌ମାନ୍‌ ଖାଁ ପିନ୍ଧିଥିବା ପାର୍ସି ଡିଜାଇନ୍‌ର କୁର୍ତ୍ତାକୁ ବେଶ୍‌  ପସନ୍ଦ କରୁଛନ୍ତି ଯୁବ ପିଢ଼ି । ସେହିଭଳି ଝିଅଙ୍କ ପାଇଁ ପାକିସ୍ତାନୀ ଓ ପଠାନି ସୁଟ୍‌ ବେଶ୍‌ ଲୋକପ୍ରିୟ ହୋଇଛି । 

ମୁସଲିମ୍‌ ସମ୍ପ୍ରଦାୟର ଏକ ପ୍ରମୁଖ ପର୍ବ  ହେଉଛି ଇଦ୍‌ । ଏହାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ  କରାଯାଇଥାଏ । ଏଥିପାଇଁ କଟକ ସହରକୁ ସାଜସଜ୍ଜା  କରାଯାଇଥାଏ । ଗଳିକନ୍ଦିରେ ଭାଇଚାରାର ସହରରେ  ସମସ୍ତେ ଏକତ୍ରିତ ହୋଇ ଏହାକୁ ପାଳିଥାନ୍ତି । ତେବେ  ଚଳିତ ବର୍ଷ ଏବେ ରମ୍‌ଜାନ୍‌ ମାସ ଚାଲିଛି । ଯେଉଁଥିରେ  ଲୋକେ ଦିନ ତମାମ ଉପବାସ ରଖି ପ୍ରାର୍ଥନା କରୁଛନ୍ତି ।  ଏହା ଧାର୍ମିକ ମାସ ହୋଇ ଥିବାରୁ ମୁସଲିମ୍‌ ସମ୍ପ୍ରଦାୟର  ଲୋକମାନେ ଅଧିକ ସମୟ ପ୍ରାର୍ଥନାରେ ଅତିବାହିତ  କରୁଛନ୍ତି । ତେବେ ରମ୍‌ଜାନ ମାସ ଶେଷ ହେବା ପରେ  ଇଦ୍‌ ପାଳନ କରିବାକୁ ସମସ୍ତଙ୍କ ମଧ୍ୟରେ ଭରପୂର ଉତ୍ସାହ। ତେଣୁ ନୂଆ ପୋଷାକ କିଣାକିଣି କରିବାକୁ  ସକାଳୁ ରାତି ପର୍ଯ୍ୟନ୍ତ କଟକ ବଜାରରେ ଭିଡ଼ ଦେଖିବାକୁ  ମିଳୁଛି । 

ଏଥିପାଇଁ ବକ୍ସିବଜାର, ଦରଘାବଜାର ସମେତ  ଆଦି ସ୍ଥାନରେ ଥିବା ଦୋକାନରେ ଇଦ୍‌ ସ୍ପେସାଲ୍‌ ଅଫର୍‌  ଲାଗିଛି । ତାହାବାଦ୍‌ ପୁଅଙ୍କ ମଧ୍ୟରେ ବଲିଉଡ୍‌ ଫିଲ୍ମର ସ୍ୱତନ୍ତ୍ର କୁର୍ତ୍ତା ଟ୍ରେଣ୍ଡିଂରେ ଥିବାରୁ ବିକ୍ରି ହେଉଛି ।  ଏହାର ମୂଲ୍ୟ ୧୨ ଶହ ଟଙ୍କାରୁ ଆରମ୍ଭ ହୋଇ ୧୮ଶହ  ପର୍ଯ୍ୟନ୍ତ ରହିଛି । ତାହାବାଦ୍‌ ସହରରେ ଥିବା ଅଧିକାଂଶ  ଟେଲର୍‌ ଦୋକାନରେ ଏବେ କୁର୍ତ୍ତା ପାଇଜାମା ତିଆରି  କରିବାକୁ ଢେର ଅର୍ଡର ରହିଥିବାରୁ ଏବେ ଆଉ ନୂଆ  ଅର୍ଡର ରଖିବାକୁ ମଙ୍ଗୁନାହାନ୍ତି । ଇଦ୍‌ ବଜାରରେ ଭଲ  ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ଆଶା କରିଛନ୍ତି ।