ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ଶକ୍ତ ଝଟ୍‌କା ଲାଗିଛି । ଶୁକ୍ରବାର ଦଳରୁ ଇସ୍ତଫା ଦେଇଥିବା ବିଧାୟକମାନେ ଆଜି (ଫେବ୍ରୁଆରୀ-୧) ବିଜେପି‌ରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବା ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ୮ ଜଣ ବିଧାୟକ ‘ପଦ୍ମ’ ଧରିଛନ୍ତି । ଆପ୍‌ ଛାଡ଼ି ବିଜେପିରେ ମିଶିଥିବା ବିଧାୟକଙ୍କ ମଧ୍ୟରେ ପଓ୍ବନ ଶର୍ମା,ଗିରିଶ ସୋନୀ, ରାଜେଶ ରିଷି, ବିଏସ୍‌ ଜୁନ୍‌, ଭାବନା ଗୌଡ଼, ରୋହିତ ମେହରୌଲିଆ, ମଦନ ଲାଲ ଏବଂ ନରେଶ ଯାଦବ ଅଛନ୍ତି ।

ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (AAP) ପାଇଁ ଅଡ଼ୁଆ ବଢ଼ିଛି । ଗତାକଲି ଦଳରୁ ୮ଜଣ ବିଧାୟକ ଇସ୍ତଫା ଦେଇଥିଲେ  । ଆଜି ସେମାନେ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନକୁ ଆଉ ୪ ଦିନ ବାକି ଥିବା ବେଳେ ଦଳୀୟ ବିଧାୟକମାନେ ବିଜେପିରେ ସାମିଲ ହେବା ଆପ୍‌ ପାଇଁ ଚିନ୍ତାର କାରଣ ପାଲଟିଛି ।  ସେମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଆପ୍‌ ପକ୍ଷରୁ ଟିକେଟ୍‌ ମିଳିନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଥମେ ୭ ଜଣ ଏବଂ ପରେ ଆଉ ଜଣେ ଆପ୍‌ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ । ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ଥିବା ରାଜେଶ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ପାର୍ଟି ନିଜର ମୂଳ ସିଦ୍ଧାନ୍ତକୁ ତ୍ୟାଗ କରି ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ ।

ବିଜେପିରେ ସାମିଲ  ୮ ବିଧାୟକ

 ୧. ଭାବନା ଗୌଡ଼

 ୨.ନରେଶ ଯାଦବ

 ୩. ରାଜେଶ ରିଷି

 ୪.ମଦନ ଲାଲ

 ୫.ରୋହିତ ମେହରୌଲିଆ

୬. ବିଏସ୍‌ ଜୁନ୍‌

 ୭. ପଓ୍ବନ ଶର୍ମା

୮. ଗିରିଶ ସୋନୀ

 ମହରୌଲିର ବିଧାୟକ ନରେଶ ଯାଦବ ମଧ୍ୟ ପାର୍ଟି ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ । ନରେଶ ଯାଦବଙ୍କୁ ପାର୍ଟି ଟିକେଟ୍ ଦେଇଥିଲା, ମାତ୍ର ପରେ ଫେରାଇ ନେଇଥିଲା। ଯାଦବଙ୍କ କୁରାନକୁ ଅପମାନ ସଂପର୍କିତ ଏକ ମାମଲାରେ ପଞ୍ଜାବର ଏକ ଅଦାଲତ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଉପର ଅଦାଲତ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ନରେଶ ଯାଦବଙ୍କୁ ଟିକେଟ୍ ଦେବାରୁ ଆପ୍‌କୁ କଂଗ୍ରେସ  ଓ ଏଆଇଏମଆଇଏମ ସମାଲୋଚନା କରିଥିଲେ । ତ୍ରିଲୋକପୁରୀର ବିଧାୟକ ରୋହିତ କୁମାର ମେହରୌଲିଆଙ୍କୁ ଆପ୍‌ ଟିକେଟ ଦେଇନଥିଲା । ସେ ଏକ୍ସରେ ଲେଖିଥିଲେ, ବାବା ସାହେବଙ୍କ କେବଳ ଫଟୋ ଦରକାର, ତାଙ୍କର ବିଚାର ଦରକାର ନାହିଁ। ଏମିତି ଲୋକଙ୍କ ସହିତ ମୋର ସଂପର୍କ ଆଜିଠୁ ଶେଷ । ସେହିପରି ପାଲମର ବିଧାୟକ ଭାବନା ଗୌଡ଼, କସ୍ତୁରବା ନଗରର ବିଧାୟକ ମଦନ ଲାଲ, ବିଜବାସନର ବିଧାୟକ ବିଏସ ଜୁନ୍‌ ଓ ଆଦର୍ଶ ନଗର ବିଧାୟକ ପଓ୍ବନ ଶର୍ମା ଆପ୍‌ରୁ ଇସ୍ତଫା ଦେଇଥିଲେ । ଏବେ ସେମାନେ ବିଜେପିରେ ସାମିଲ ହୋଇସାରିଛନ୍ତି ।