ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରଚାରର ଶେଷ ଦିନରେ (ସୋମବାର) ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଅଜିତ ପାଓ୍ବାରଙ୍କ ଏନସିପି ନେତା ଏକନାଥ ଖଡ଼ସେ ।  ଆଗକୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ସହ ସେ ଭାବୁକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ନିଜ ଝିଅ ରୋହିଣୀ ଖଡ଼ସେଙ୍କୁ ବିଜୟୀ କରାଇବାକୁ ଅପିଲ କରିବା ସହ ଏକନାଥ ଖଡ଼ସେ କହିଛନ୍ତି, ଆଗାମୀ ନିର୍ବାଚନ ଦେଖିବି କି ନାହିଁ ତାହା ଭଗବାନ ହିଁ ନିଶ୍ଚିତ କରିବେ ।

 ଦୀର୍ଘ ୪ ଦଶନ୍ଧୀ ଧରି କେବଳ ଜଳଗାଉଁ ନୁହେଁ ବରଂ ସମଗ୍ର ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଦବଦବା ରହିଛି । ଝିଅ ରୋହିଣୀ ଖଡ଼ସେଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ ଏକନାଥ ଖଡ଼ସେ କହିଛନ୍ତି, ବିଧାନସଭା ନିର୍ବାଚନ ନଭେମ୍ବର ୨୦ରେ ହେବ । ବର୍ଷ ବର୍ଷ ଧରି ଆପଣମାନେ ମୋତେ ସମର୍ଥନ ଦେଇଆସିଛନ୍ତି । ଜାତି ଓ ଧର୍ମରୁ ଉର୍ଦ୍ଧ୍ବକୁ ଉଠି ମୁଁ ସେବା କରିଆସିଛି । ଏହି ନିର୍ବାଚନରେ ରୋହିଣୀ ଖଡ଼ସେ ଏନସିପିରୁ ପ୍ରାର୍ଥୀ ହୋଇଛନ୍ତି । ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଆଗାମୀ ନିର୍ବାଚନ ଦେଖିପାରିବି କି ନାହିଁ ଜାଣିନାହିଁ ।’ ଯେମିତି ଏକନାଥ ଖଡ଼ସେଙ୍କ ସମର୍ଥନ କରିଛନ୍ତି, ରୋହିଣୀ ଖଡ଼ସେଙ୍କୁ ସମର୍ଥନ କରନ୍ତୁ ବୋଲି ଭିଡିଓ ମାଧ୍ୟମରେ ଭୋଟରଙ୍କୁ ସେ ଅପିଲ୍‌ କରିଛନ୍ତି ।




 ବିଜେପି ନେତା ଗୋପିନାଥ ମୁଣ୍ଡେଙ୍କ ସହିତ ଏକନାଥ ଖଡ଼ସେ  ରାଜ୍ୟରେ ବିଜେପିର ବଡ଼ ଚେହେରା ଥିଲେ । ଗୋପିନାଥ ମୁଣ୍ଡେଙ୍କ ସହ ଖଡ଼ସେ ଦଳର ବିକାଶ ପାଇଁ ବହୁ କାର୍ଯ୍ୟ କରିଥିଲେ । ଏକନାଥ ଖଡ଼ସେ ନିଜର ରାଜନୈତିକ କ୍ୟାରିୟର କୋଠାରୀ ଗାଁର ସରପଞ୍ଚ ଭାବେ ଆରମ୍ଭ କରିଥିଲେ । ୧୯୮୭ରେ ସରପଞ୍ଚ ହେବା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ବିଧାୟକ, ବିରୋଧୀ ଦଳ ନେତା ଏବଂ ୧୨ ବିଭାଗର ମନ୍ତ୍ରୀ ଭଳି ବିଭିନ୍ନ ଦାୟିତ୍ବ ସମ୍ଭାଳିଥିଲେ ।  ଏମିତି ଏକ ସମୟ ଥିଲା, ଯେବେ ଖଡ଼ସେଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିଲା । କିନ୍ତୁ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ମତଭେଦ ଯୋଗୁଁ ଦଳରେ ଏକନାଥ ଖଡ଼ସେଙ୍କ ଶକ୍ତି ହ୍ରାସ ପାଇଥିଲା । ଏହା ପରେ ୨୦୨୦ରେ ବିଜେପି ଛାଡ଼ି ଏନସିପି‌ରେ ସାମିଲ ହୋଇଥିଲେ ଏକନାଥ ଖଡ଼ସେ ।