ମୁମ୍ବାଇ: ଶିବସେନା ନେତା ଏକନାଥ ସିନ୍ଦେ ଆସନ୍ତାକାଲି (ଗୁରୁବାର) ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବା ଅଜିତ ପାଓ୍ବାର ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି । ଅଜିତ ପାଓ୍ବାର ଶପଥ ନେବେ ବୋଲି ସେ ନିଜେ ସ୍ପଷ୍ଟ କରିଥିବା ବେଳେ ସିନ୍ଦେ କିଛି ପ୍ରତିକ୍ରିୟା ଦେଇନଥିଲେ । କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ, ଏକାନଥ ସିନ୍ଦେ ଆସନ୍ତାକାଲି ଆଜାଦ ମଇଦାନରେ ଶପଥ ନେଇପାରନ୍ତି ।
ଗତକାଲି ଫଡ଼ନାଭିସ ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କ କ୍ୟାବିନେଟରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଫଡ଼ନାଭିସ କହିଥିଲେ, ‘ମୁଁ ଏକାନଥ ସିନ୍ଦେଙ୍କୁ ଆଗାମୀ କ୍ୟାବିନେଟ୍ରେ ସାମିଲ ହେବାକୁ ଅନୁରୋଧ କରିଥିଲି । ମୋର ବିଶ୍ବାସ ସେ ମନା କରିବେ ନାହିଁ । ମହାରାଷ୍ଟ୍ରର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆମେ ମିଶି ପୂରଣ କରିବୁ ।’
ସେପଟେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନାହିଁ ପ୍ରଶ୍ନରେ ସିନ୍ଦେ କହିଥିଲେ ଯେ, ବୁଧବାର ସନ୍ଧ୍ୟାରେ ଏନେଇ ଜଣାପଡ଼ିବ । ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ସିନ୍ଦେ । କିନ୍ତୁ ନିର୍ବାଚନରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଥିବା ବିଜେପି ସିନ୍ଦେଙ୍କ ଦାବିକୁ ଖଣ୍ଡନ କରି ନିଜ ନେତା ଫଡ଼ନାଭିସ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିଲେ ଏକନାଥ ସିନ୍ଦେ ।
ଏହା ପରେ ସେ ନିଜ ଗାଁକୁ ଚାଲିଯାଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ଯାହାକୁ ନେଇ ସେ ବିଜେପି ନିଷ୍ପତ୍ତିରେ ହୁଏତ ଖୁସିନଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ମଙ୍ଗଳବାର ସେ ପୁଣି ମୁମ୍ବାଇ ଫେରିଆସିଥିଲେ । ଆଜି ସକାଳେ, ଦେବେନ୍ଦ୍ର ଫଡ଼ନାଭିସ୍ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ଏହା ପରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ମହାୟୁତି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ ।