ମୁମ୍ବାଇ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ ବୋଲି କୁହାଯାଉଛି । ଗାଁକୁ ଯିବା ପରେ ଭୀଷଣ ଜ୍ବରରେ ପଡ଼ିଥିଲେ ସିନ୍ଦେ । ସେଠାରୁ ଥାଣେ ଫେରିବା ପରେ ମଧ୍ୟ ତାଙ୍କର ଜ୍ବର ଭଲ ହୋଇନାହିଁ । ଏହାକୁ ନେଇ ଆଜି (ମଙ୍ଗଳବାର) ସିନ୍ଦେ ଥାଣେର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀ ପରୀକ୍ଷା ହୋଇଛି । ସେଠାରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଫେରିବେ କି ନାହିଁ ତାହା ତାଙ୍କ ଡାକ୍ତରଙ୍କ ପରାମର୍ଶ ଉପରେ ନିର୍ଭର କରିବ ।
ଗଳାରେ ସଂକ୍ରମଣ ଏବଂ ଜ୍ବର ସମ୍ବନ୍ଧୀୟ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ସେ ହସ୍ପିଟାଲ ଯାଇଥିଲେ । ଯଦି ସ୍ବାସ୍ଥ୍ୟାବସ୍ଥାରେ ଅଧିକ ସୁଧାର ନଆସେ ତେବେ ତାଙ୍କୁ ଥାଣେରେ ହିଁ ରହିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ବିଭିନ୍ନ ପ୍ରକାର ଟେଷ୍ଟ ହୋଇଥିବା ବେଳେ ଆଗକୁ ସ୍ବାସ୍ଥ୍ୟର ଅବସ୍ଥା ଦେଖି ଚିକତ୍ସା କରାଯିବ ବୋଲି ସିନ୍ଦେଙ୍କ ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି । ସେପଟେ ଅସୁସ୍ଥ ଥିବା ସତ୍ତ୍ବେ ସିନ୍ଦେ ରାଜ୍ୟର ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିର ବୃହତ୍ତ ବିଜୟ ପରେ ସିନ୍ଦେ ନିଜ ଗାଁ ସତାରା ଚାଲିଯାଇଥିଲେ । ସେଠାରେ ତାଙ୍କୁ ଜ୍ବର ହୋଇଥିଲା । ନଭେମ୍ବର ୩୦ରେ ତାଙ୍କୁ ଜ୍ବର ହୋଇଥିବା ବେଳେ ଏବେ ବି ସେ ଅସୁସ୍ଥ ଅଛନ୍ତି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ଡିସେମ୍ବର ୫ରେ ଆଜାଦ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଆଜି ମହାୟୁତି ନେତାମାନେ ଆଜାଦ ମୈଦାନ ପରିଦର୍ଶନ କରିଛନ୍ତି । ଶପଥ ଗ୍ରହଣ ଲାଗି କଣ ସବୁ ପ୍ରସ୍ତୁତି ହୋଇଛି ସେନେଇ ସମୀକ୍ଷା କରିଛନ୍ତି ୩ ଦଳର ବରିଷ୍ଠ ନେତା ।
ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି । କିନ୍ତୁ ମହାୟୁତି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଡିସେମ୍ବର ୪ରେ ବିଜେପି ବିଧାୟକ ଦଳ ବୈଠକ ଥିବା ବେଳେ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜୟ ରୂପାଣୀଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।