ସମ୍ବଲପୁର, ୨୫।୧୧ : ଓଡ଼ିଶା ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଆମ ଦେଶକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଆମର ପୂର୍ବଜମାନେ ପୂର୍ବରୁ ଲଢେଇ କରିଥିଲେ ସ୍ୱରାଜ୍ୟ ପାଇଁ, କିନ୍ତୁ ଆମକୁ ଏବେ ସମୃଦ୍ଧି ପାଇଁ ଲଢେଇ କରିବାକୁ ହେବ । ତେଣୁ ଏହି ୧୦ ବର୍ଷ ଓ ୨୨ ବର୍ଷର ଗୁରୁତ୍ୱପୂର୍ଣ୍ଣ ସମୟସୀମା ମଧ୍ୟରେ ‘ବିକଶିତ ସମ୍ବଲପୁର’, ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ ’ ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ପାଇଁ ପଡ଼ିବ। ମଙ୍ଗଳବାର ସମ୍ବଲପୁରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ‘ଏକତା ପଦଯାତ୍ରା’ରେ ସାମିଲ ହୋଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ପଦଯାତ୍ରା ରିଜର୍ଭ ପୋଲିସ୍ ପଡ଼ିଆ ଠାରୁ ଆରମ୍ଭ ହୋଇ ମହିଳା କଲେଜ ପଡ଼ିଆ ପର୍ଯ୍ୟନ୍ତ ହୋଇଥିଲା। ଯେଉଁଥିରେ ସର୍ଦ୍ଦାର ପଟେଲ୍ଙ୍କ ଆଦର୍ଶ ପ୍ରତି ଉତ୍ସାହ ଓ ସମର୍ପଣ ଭାବନା ପରିଲକ୍ଷିତ ହୋଇଥିଲା । ଏହି ପଦଯାତ୍ରା ପରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆମେ ଯେତେବେଳେ ସର୍ଦ୍ଦାର ପଟେଲଙ୍କ ଏକତାକୁ ସମ୍ମାନ ଜଣାଉଛେ, ସେହି ସମୟରେ ଆମର ସମ୍ବଲପୁର ଓ ଓଡ଼ିଶାର ଭବିଷ୍ୟତ ପାଇଁ ଥିବା ଆମର ଦାୟିତ୍ୱକୁ ଭୁଲିବା ଉଚିତ ନୁହେଁ । ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ ଗାନ୍ଧୀଜୀଙ୍କ ବିଚାରରେ ସମ୍ବଲପୁରକୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଅଧିକ ଦାୟିତ୍ୱ ନେବା । ଗ୍ରାମାଞ୍ଚଳରେ ଆମେ ପୋଷଣକୁ ପ୍ରାଧାନ୍ୟ ଦେଇ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ସବୁ ପିଲାଙ୍କ ଯତ୍ନ ନେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା । ଏଠାରେ ଖେଳକୁ ପ୍ରୋତ୍ସାହନ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା । ସମ୍ବଲପୁରରେ ବସବାସ କରୁଥିବା ପ୍ରାୟ ୨ ଲକ୍ଷ ପରିବାରର ସାହାସ, ସ୍ୱାଭିମାନ ଓ ସ୍ୱାବଲମ୍ବନ ବଢାଇବା ପାଇଁ କାମ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ସେ କହିଛନ୍ତି, ସର୍ଦ୍ଦାର ପଟେଲଜୀଙ୍କ ସ୍ମୃତିରେ ଆୟୋଜିତ ଏହି ଏକତା ପଦଯାତ୍ରା ଆମ ଦେଶର ଐକ୍ୟ, ସମତା ଏବଂ ସାମାଜିକ ସଦ୍ଭାବନାର ଏକ ଜୀବନ୍ତ ପ୍ରଦର୍ଶନ । ଏହା ଆମକୁ ତାଙ୍କର କଠୋର ପରିଶ୍ରମ, ନିଷ୍ଠାପରତା ଓ ଅଖଣ୍ଡ ଭାରତ ଗଠନ ପାଇଁ ଅତୁଳନୀୟ ଅବଦାନକୁ ମନେ ପକାଇ ଦେଉଛି । ସେ ଆହୁରି କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ଅସୀମ ସାହସ, ଅଦମ୍ୟ ରାଜନୈତିକ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ କାରଣରୁ ଆମ ଦେଶ ଆଜି ବିକାଶର ମାର୍ଗରେ ଅଗ୍ରସର ହେଉଛି । ଗୁଜୁରାଟରେ ପଟେଲଜୀଙ୍କ ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ସର୍ବତ୍ତୋମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ । ‘ସମ୍ବିଧାନ ଦିବସ’ର ଅବ୍ୟବହିତ ପୂର୍ବରୁ ଏହିସବୁ କଥାକୁ ଆମେ ସ୍ମରଣ କରିବା ଜରୁରି ବୋଲି ସେ କହିଥିଲେ । ଅଭିଭାଷଣରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ, ‘ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ବରପୁତ୍ରଙ୍କ ବଡ଼ ଯୋଗଦାନକୁ କେନ୍ଦ୍ରମନ୍ତ୍ରୀ ମନେପକାଇଥିଲେ ।
ଏକତା ପଦଯାତ୍ରା ସମୟରେ ଶ୍ରୀ ପ୍ରଧାନ ଜେଲ୍ ଛକ ଠାରେ ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଓ ନେଲସନ୍ ମାଣ୍ଡେଲା ଛକ ଠାରେ ଥିବା ଶହୀଦ ସ୍ତମ୍ଭରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାବ୍ୟତୀତ, ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ, ଯୁବସାଥୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ପଦଯାତ୍ରାକୁ ସଫଳ କରିଥିଲେ ।