ବାଙ୍ଗିରିପୋଷି,୧୦/୭ : ବାଙ୍ଗିରିପୋଷି ବନାଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଧୋବଣିଶୋଳ ଗ୍ରାମର ଟୁଣିଆ ସିଂଙ୍କ ପୁଅ ବାୟା (୭୫)। ସେ ଗତ ବୁଧବାର ରାତିରେ ଶୌଚ ହେବାକୁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ଏକ ମାଈ ହାତୀ ହାବୁଡ଼ରେ ପଡ଼ିଥିଲେ। ସେ ଧରିଥିବା ଟର୍ଚ୍ଚ ଆଲୁଅ ଦେଖି ହାତୀଟି ନିଜ ଶାବକ ସହ ପାଖକୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ସେ ପ୍ରାଣ ବିକଳରେ ଚିତ୍କାର କରିବାରୁ ପରିବାର ଲୋକ ଦୌଡ଼ି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବରପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ବନ ବିଭାଗ ଓ ପୁଲିସ ତଦନ୍ତ କରିଥିଲା। ବାଙ୍ଗିରିପୋଷି ପୁଲିସ ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ ପଠାଇଛି । ତାଙ୍କ ଅନ୍ତେ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି। ଅନ୍ୟପକ୍ଷେ ଘଟଣା ବିଷୟରେ ଖବରପାଇ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ବନ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସରକାରୀ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ସେହିପରି ତାଙ୍କ ନିର୍ଦେଶ କ୍ରମେ ବିଧାୟିକା ପ୍ରତିନିଧି ପ୍ରଦୀପ ମହାପାତ୍ର ମୃତକଙ୍କ ଶବ ଖୁବଶୀଘ୍ର ବ୍ୟବଛେଦ କରାଇବା ଏବଂ ପରିବାର ଲୋକଙ୍କୁ ହସ୍ତାନର କରାଇବା ନେଇ ସମସ୍ତ ବ୍ୟବସ୍ଥା ବୁଝିଥିଲେ।