ଜୟପୁର,୧୦/୦୨: ଦେଶରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ଏହା ଏକ ବିପଦ ଘଣ୍ଟି । ୨୦୪୬ ସୁଦ୍ଧା ଦେଶରେ ପିଲାଙ୍କ ଅପେକ୍ଷା ବୟସ୍କଙ୍କ ସଂଖ୍ୟା ଅଧିକ ହେବ । ତେବେ ସେଥିଲାଗି ଆମ ବ୍ୟବସ୍ଥା ପ୍ରସ୍ତୁତ ନୁହେଁ । ଉପଯୁକ୍ତ ବ୍ୟବସ୍ଥା କରା ନ ଗଲେ ଭବିଷ୍ୟତରେ ଏହି ସ୍ଥିତି ସାମାଜିକ ସଙ୍କଟ ରୂପ ନେଇପାରେ । ଏକ ମାମଲାର ଶୁଣାଣି ସମୟରେ ରାଜସ୍ଥାନ ହାଇକୋର୍ଟଙ୍କ ଜୟପୁର ବେଞ୍ଚ ଏହି ଟିପ୍ପଣୀ ଦେଇଛନ୍ତି । ଏଥିସହିତ ରାଜ୍ୟରେ ଥିବା ସମସ୍ତ ୩୧ଟି ବୃଦ୍ଧାଶ୍ରମର ଯାଞ୍ଚ ଲାଗି କୋର୍ଟ ରାଜ୍ୟ ନ୍ୟାୟିକ ସେବା ପ୍ରାଧିକରଣ ଏବଂ ସମସ୍ତ ଜିଲ୍ଲାର ନ୍ୟାୟିକ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଠିକ୍ ମେଡିକାଲ୍ ସୁବିଧା ମିଳୁଛି କି ନାହିଁ, ଖାଦ୍ୟର ଗୁଣବତ୍ତା, ବିଲ୍ଡିଂର ସ୍ଥିତି, ସ୍ୱଚ୍ଛତା ବ୍ୟବସ୍ଥା ଇତ୍ୟାଦି ଦିଗ ନେଇ ଯାଞ୍ଚ କରାଯିବ । ଫେବ୍ରୁଆରୀ ୧୫ ତାରିଖ ମଧ୍ୟରେ ସେଥିନେଇ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ଲୋକ ଉତ୍ଥାନ ସଂସ୍ଥାନ ନାମକ ସଂଗଠନ ପକ୍ଷରୁ ଦାଖଲ ଏକ ଜନହିତ ମାମଲାରେ ରାଜ୍ୟର ବୃଦ୍ଧାଶ୍ରମଗୁଡ଼ିକର ଦୟନୀୟ ସ୍ଥିତି କଥା ଉଠାଯାଇଥିଲା । ସେଠାରେ ମୌଳିକ ସୁବିଧାର ଅଭାବ ଥିବା ସହ ଆଶ୍ରମ କର୍ତ୍ତୁପକ୍ଷ ଅନ୍ତେବାସୀଙ୍କ ପ୍ରତି ଦାୟିତ୍ୱହୀନ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ସେହି ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ପୁଷ୍ପେନ୍ଦ୍ର ସିଂହ ଭାଟି ଏବଂ ଜଷ୍ଟିସ୍ ସଙ୍ଗୀତା ଶର୍ମାଙ୍କ ଡିଭିଜନ୍ ବେଞ୍ଚ ରାଜ୍ୟରେ ବୃଦ୍ଧାଶ୍ରମଗୁଡି଼କର ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଆହୁରି ପଢ଼ନ୍ତୁ :- ୫୪ ହଜାର କୋଟିର ସାଇବର ଠକେଇକୁ ଡକାୟତି କହିଲେ ସୁପ୍ରିମକୋର୍ଟ, ନିୟମାବଳୀ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

କୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ, ବୃଦ୍ଧାଶ୍ରମ କେବଳ ଔପଚାରିକତା ହୋଇପାରିବ ନାହିଁ । ସେଠାରେ ରହୁଥିବା ବୟସ୍କଙ୍କୁ ସମ୍ମାନ, ଉନ୍ନତ ଚିକିତ୍ସା, ସୁରକ୍ଷା ଏବଂ ମାନବୀୟ ଗରିମା ସହ ବଞ୍ଚିବାର ଅଧିକାର ମିଳିବା ଆବଶ୍ୟକ । ଭାରତୀୟ ସଂସ୍କୃତିରେ ବୟସ୍କଙ୍କୁ ଭଗବାନ ବୋଲି କୁହାଯାଇଥାଏ । କିନ୍ତୁ ଆଧୁନିକ ସମାଜରେ ଯୌଥ ପରିବାର ଭାଙ୍ଗିଯିବା, ସହରୀକରଣ ଏବଂ ପରିବର୍ତ୍ତିତ ଜୀବନଶୈଳୀ ସେମାନଙ୍କୁ ଉପେକ୍ଷିତ ଏବଂ ଅସହାୟ କରିଦେଇଛି । ବରିଷ୍ଠ ନାଗରିକଙ୍କ ଦେଖାଶୁଣା କରିବା କେବଳ ପରିବାରର ନୈତିକ ଦାୟିତ୍ୱ ନୁହେଁ, ବରଂ ସାମ୍ବିଧାନିକ ଦାୟିତ୍ୱ ।

ବିଭିନ୍ନ ରିପୋର୍ଟର ଉଦାହରଣ ଦେଇ କୋର୍ଟ ଆହୁରି କହିଥିଲେ ଯେ, ୨୦୨୨ରେ ଦେଶର ବୟସ୍କଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୧୦.୫ ପ୍ରତିଶତ ଥିଲା । ୨୦୫୦ରେ ମଧ୍ୟରେ ତାହା ୨୦ ପ୍ରତିଶତରୁ ଅଧିକ ହୋଇପାରେ । ସେହିପରି ଦେଶରେ ୨୦୪୬ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ପିଲାଙ୍କଠାରୁ ବି ଅଧିକ ହୋଇଯିବ । ଏଭଳିକ୍ଷେତ୍ରରେ ଏହି ସମସ୍ୟାର ସମାଧାନ ଲାଗି ଏବେଠୁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।