କଟକ, ୨୮/୧୧ : ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଏବଂ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା। ଏହି ନିର୍ବାଚନୀ ମାମଲାକୁ ରଦ୍ଦ ପାଇଁ ପ୍ରାର୍ଥନା କରି ସେ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ ରୁଜୁ କରିଥିଲେ। ଏହି ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପିଟିସନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ୍ ।
ସୂଚନା ଥାଉକି, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିରୋଧରେ ପାଟଣାଗଡ଼ର ପରାଜିତ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନୀ ମାମଲା ଦାୟର କରିଛନ୍ତି। ସେହିପରି ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ କଣ୍ଟାବାଞ୍ଜିର ଜଣେ ଭୋଟର ନିର୍ବାଚନୀ ମାମଲା ଦାୟର କରିଛନ୍ତି। ବିନା ଶୁଣାଣିରେ ମାମଲା ଖାରଜ ପାଇଁ କେଭି ସିଂଦେଓ ଏବଂ ଲକ୍ଷ୍ମଣ ବାଗ୍ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଉଭୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।