ନୂଆଦିଲ୍ଲୀ,୦୪/୦୫: ଆଉ କିଛି ସମୟର ଅପେକ୍ଷା ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଭୋଟ ଫଳ  ପ୍ରକାଶ ପାଇବ । ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୨୪ଟି ବିଧାନସଭା ଆସନ ରହିଛି । କାହା ସପକ୍ଷରେ ଜନାଦେଶ ଯିବ ଓ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଉପରେ ସମଗ୍ର ଦେଶର ନଜର ରହିଛି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।

ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯିବ ଏବଂ ପରେ ଇଭିଏମ୍ରେ ପଡିଥିବା ଭୋଟ ଗଣତି ହେବ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏକାଧିକ ରାଉଣ୍ଡ ଭୋଟ ଗଣତି ହେବ । ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ଫଳାଫଳର ଅପଡେଟ୍ ସମ୍ପର୍କରେ ସୂଚନା ମିଳିବ । ତେବେ ଭୋଟ ଗଣତି ଆରମ୍ଭ ହେବାର ଦୁଇଘଣ୍ଟା ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବ । ପରେ ପରେ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବ ତାହାର ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହୋଇଯିବ । ଚୂଡାନ୍ତ ଭୋଟ ଫଳ ସନ୍ଧ୍ୟା ସୁଦ୍ଧା ମିଳିଯିବାର ସମ୍ଭାବନା ରହିଛି । ଆସାମ, କେରଳ ଓ ପୁଡୁଚେରୀରେ ଏପ୍ରିଲ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ବେଳେ ତାମିଲନାଡୁରେ ଏପ୍ରିଲ ୨୩ରେ ମତଦାନ କରାଯାଇଥିଲା । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨୩ ଓ ୨୯ରେ ଭୋଟ ଗ୍ରହଣ ହୋଇଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୯୨ ପ୍ରତିଶତ ମତଦାନ ହୋଇଥିଲା ବେଳେ ଆସାମରେ ୮୫.୩୮, ତାମିଲନାଡୁରେ ୮୪.୬୯, କେରଳରେ ୭୯.୬୩ ଏବଂ ପୁଡୁରେୀରେ ୮୯.୮୭ ପ୍ରତିଶତ ମତଦାନ ହୋଇଛି ।

ପଶ୍ଚିମବଙ୍ଗରେ ୨୯୪ ଆସନରୁ ୨୯୩ଟି ଆସନରେ ଭୋଟ ଗଣତି କରାଯିବ । ରାଜ୍ୟର ଫାଲ୍‌ତା ଆସନରେ ଇଭିଏମ୍ରେ ହେରଫେର ଓ ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେଠାରେ ମତଦାନକୁ ରଦ୍ଦ କରିଦେଇଛନ୍ତି । ଏହି ଆସନରେ ଆସନ୍ତା ୨୧ରେ ସାନି ଭୋଟ ଗ୍ରହଣ କରାଯିବ ଏବଂ ୨୪ରେ ଭୋଟ ଗଣତି ହେବ । ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଦଳକୁ ପରାସ୍ତ କରି ଟିଏମ୍‌ସି ୨୦୧୧ ମସିହାରେ କ୍ଷମତାସୀନ ହୋଇଥିଲା । ଟିଏମ୍‌ସି ଚତୁର୍ଥଥର ପାଇଁ କ୍ଷମତା ଦଖଲ କରିବାକୁ ଆଶା ରଖିଛି । ଅନ୍ୟପକ୍ଷରେ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ବଢ଼ାଇଛି । ବିଜେପି ଏଥର ରାଜ୍ୟରେ କ୍ଷମତାସୀନ ହେବ ବୋଲି ଦୃଢ଼ ଆଶାବାଦୀ ରହିଛି । ମତଦାନ ପରେ ହୋଇଥିବା ଏକ୍‌ଜିଟ୍  ପୋଲ୍‌ରେ ଅଧିକାଂଶ ସର୍ଭେରେ ବିଜେପି ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି । ୨୦୨୧ ନିର୍ବାଚନରେ ଟିଏମ୍ସି ୨୧୫ ଆସନ ପାଇଥିଲା ବେଳେ ବିଜେପି ୭୭ ଆସନରେ ଜିତିଥିଲା । ଟିଏମ୍‌ସିର ସହଯୋଗୀ ଜିଜେଏମ୍ ଏବଂ ସଂଯୁକ୍ତ ମୋର୍ଚ୍ଚାର ଆଇଏସ୍ଏଫ ଗୋଟିଏ ଲେଖାଏ ଆସନ ପାଇଥିଲେ । କଂଗ୍ରେସ କିମ୍ବା ବାମଦଳ ଖାତା ଖୋଲିପାରି ନଥିଲେ ।

ତାମିଲନାଡୁର ୨୩୪ ଆସନ ମଧ୍ୟରୁ ମ୍ୟାଜିକ ସଂଖ୍ୟା ହେଉଛି ୧୧୮ । ଚଳିତବର୍ଷ ରାଜ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ଶାସକ ଡିଏମ୍କେ ମେଣ୍ଟ, ବିଜେପି ମେଣ୍ଟ ଏବଂ ନୂଆକରି ନିର୍ବାଚନକୁ ଓହ୍ଲାଇଥିବା ଅଭିନେତା ବିଜୟଙ୍କର ଟିଭିକେ ମଧ୍ୟରେ ଟକ୍କର ହୋଇଛି । ରାଜ୍ୟରେ ୨୦୨୧ରୁ ଡିଏମ୍‌କେ ସରକାର ରହିଛି । ତେଣୁ ଡିଏମ୍କେ ମେଣ୍ଟ ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ବିଜେପି ସହ ମେଣ୍ଟ କରିଥିବା ଏଆଇଏଡିଏମ୍‌କେ ଦୀର୍ଘ ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛି । ରାଜ୍ୟରେ ଆଇନ ଶୃଙ୍ଖଳା, କୁଶାସନ ଓ ଦୁର୍ନୀତି ଭଳି ବଡ ପ୍ରସଙ୍ଗ ରହିଥିବା ବେଳେ ଏଥିରୁ ଏଆଇଏଡିଏମ୍‌କେ ବିଜେପି ମେଣ୍ଟ ଫାଇଦା ନେବା ଚକ୍କରରେ ଅଛନ୍ତି । ଏକ୍‌ଜିଟ୍ ପୋଲ୍ ସର୍ଭେରେ ରାଜ୍ୟରେ ଡିଏମ୍‌କେ ସରକାର ପୁଣି ଫେରିବ ବୋଲି ଆକଳନ କରାଯାଇଛି । ଅନ୍ୟ କେତେକ ସର୍ଭେରେ ଟିଭିକେ କିଙ୍ଗମେକର ହେବ ବୋଲି ଅନୁମାନ ଲଗାଯାଇଛି । ୨୦୨୧ ନିର୍ବାଚନରେ ଡିଏମ୍କେ ନେତୃତ୍ୱାଧୀନ ଏସ୍ପିଏକୁ ୧୫୯ ଆସନ ମିଳିଥିଲା । ସେଥିରେ ଡିଏମ୍କେକୁ ୧୩୩, କଂଗ୍ରେସକୁ ୧୮, ଭିସିକେକୁ ୪, ସିପିଏମ୍‌କୁ ୨ ଓ ସିପିଆଇକୁ ୨ ଆସନ ମିଳିଥିଲା । ସେହିଭଳି ଏନ୍ଡିଏକୁ ୭୫ ଆସନ ମିଳିଥିଲା । ସେଥିରେ ଏଆଇଏଡିଏମ୍‌କେ ୬୬, ବିଜେପି ୪ ଓ ପିଏମ୍କେ ୫ ଆସନ ଲାଭ କରିଥିଲେ ।

କେରଳର ୧୪୦ ବିଧାନସଭା ଆସନରୁ ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ହେଉଛି ୭୧ । ୨୦୧୬ରୁ ରାଜ୍ୟରେ ଏଲ୍ଡିଏଫ ଲଗାତାର ଭାବେ ଦୁଇଥର ସରକାର ଗଠନ କରିଛି । ଦଳର ନେତା ପିନରାୟୀ ବିଜୟନଙ୍କ ନେତୃତ୍ୱରେ ବାମମେଣ୍ଟ ସରକାର ଚାଲିଛି । ଏଥର ମଧ୍ୟ ଏଲ୍‌ଡିଏଫ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଦୀର୍ଘ ୧୦ ବର୍ଷ ହେଲା କ୍ଷମତାରୁ ବାହାରେ ରହିଥିବା ବେଳେ ଏଥର ସରକାର ଗଢ଼ିବାକୁ ଆଶା ରଖିଛି । ସେପଟେ ବିଜେପି ନେତୃତ୍ୱରେ ଏନ୍‌ଡିଏ ରାଜ୍ୟରେ ନିଜର ଉପସ୍ଥିତି ବଢ଼ାଇବାକୁ ଚାହୁଁଛି । ନିର୍ବାଚନ ପ୍ରସାର ବେଳେ ବିରେଧୀ ଦଳମାନେ ପ୍ରଶାସନିକ ଅବ୍ୟବସ୍ଥା, ଦୁର୍ନୀତି, ପ୍ରିୟାପ୍ରତି ତୋଷଣ, ବେକାରୀ ଭଳି ପ୍ରସଙ୍ଗକୁ ନେଇ ଶାସକ ଏଲଡିଏଫକୁ ଘେରିଥିବା ଦେଖିବାକୁ ମିଳିଥିଲା । ହେଲେ ରାଜ୍ୟବାସୀ କାହା ଉପରେ ଭରସା କରିଛନ୍ତି ତାହା ଫଳାଫଳରୁ ସ୍ପଷ୍ଟ ହେବ । ଗତ ବିଧାନସଭା ନିର୍ବାଚନରେ ଏଲଡିଏଫ୍ ୯୯ ଓ ୟୁଡିଏଫ ୪୧ ଆସନ ଜିତିଥିଲେ ।

ସେହିଭଳି ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୨୦୧୬ ପର୍ଯ୍ୟନ୍ତ ଆସାମ କଂଗ୍ରେସର ଗଡ ହୋଇରହିଥିଲା । ଯଦିଓ ମଝିରେ ଜନତା ଦଳ ଓ ଆସାମ ଗଣ ପରିଷଦ (ଏଜିପି) କିଛି ବର୍ଷ ପାଇଁ ଶାସନ କରିଥିଲେ । କିନ୍ତୁ ୨୦୧୬ ପୂର୍ବରୁ ଏଜେପିରେ ବିଭାଜନ ଓ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଘଟିଥିଲା । ୨୦୧୫ରେ ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ହିମନ୍ତ ବିଶ୍ୱ ଶର୍ମା ବିଜେପିରେ ସାମିଲ ହୋଇଥିଲେ । ଯାହାଫଳରେ ୨୦୧୬ରେ ବିଜେପି ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ୨୦୨୧ରେ ବିଜେପି ଏଠାରେ ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେଲା ଏବଂ ଶର୍ମା ମୁଖ୍ୟମନ୍ତ୍ରୀ ହେଲେ । ବିଜେପି ହ୍ୟାଟ୍ରିକ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଗତ ୧୦ ବର୍ଷ ହେଲା କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ବିଜୟୀ ହେବ ବୋଲି ଆଶା ବାନ୍ଧିଛି । ୨୦୨୧ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୭୫ ଆସନ ଜିତିଥିଲା ବେଳେ କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ୫୦ ଆସନରେ ବିଜୟୀ ହୋଇଥିଲା । ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ ।

ଭାରତର ଯେଉଁ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ରହିଛି ସେଥିରୁ ପୁଡୁଚେରୀ ଅନ୍ୟତମ । ଅନ୍ୟ ଦୁଇଟି ହେଲେ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀର । ୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ହେଉଛି ୧୬ । ପୁଡୁଚେରୀର ରାଜନୀତି ପାରମ୍ପରିକ ଜାତୀୟ ଓ ଆଞ୍ଚଳିକ ଦଳର ମେଣ୍ଟକୁ ନେଇ ପ୍ରଭାବିତ। ଚଳିତବର୍ଷ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ଏଠାରେ ଏନ୍ଡିଏ, ଇଣ୍ଡିଆ ମେଣ୍ଟ ଓ ଡିଏମ୍‌କେ ମଧ୍ୟରେ ମୁକାବିଲା ହୋଇଛି। ଏଆଇଏନ୍ଆରସି ନେତା ଏନ୍ ରଙ୍ଗାସ୍ୱାମୀ ୨୦୨୧ରୁ ଏଠାରେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କ ସହ ବିଜେପି ମେଣ୍ଟ କରିଛି । ବିରୋଧୀ କଂଗ୍ରେସ ଓ ଡିଏମ୍‌କେ ଭିତରେ ଆସନ ବୁଝାମଣା ଓ ନେତୃତ୍ୱକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଏନ୍ଡିଏରେ ନିର୍ବାଚନ ମଣ୍ଡଳୀ ଆବଣ୍ଟନ ଓ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ତେଣୁ ଏଠାରେ କିଏ ସରକାର ଗଠନ କରିବ ତାହା ଅନୁମାନ ଲଗାଇବା କଷ୍ଟକର । କିନ୍ତୁ ଏକ୍‌ଜିଟ ପୋଲରେ ଏଆଇଏନ୍ଆରସି ପୁଣି ସରକାର ଗଠନ କରିବା ନେଇ ଆକଳନ କରାଯାଇଛି । ୨୦୨୧ ନିର୍ବାଚନରେ ଏନ୍‌ଡିଏ ୧୬ ଆସନ ପାଇ ସରକାର ଗଢ଼ିଥିଲା । ଅନ୍ୟପକ୍ଷରେ ୟୁପିଏ ୯ ଏବଂ ଅନ୍ୟ ଦଳ ୫ ଆସନରେ ବିଜୟୀ ହୋଇଥିଲେ ।