ନୂଆଦିଲ୍ଲୀ,୯।୪: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟକୁ ଏବେ ବି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେଙ୍କ ମନରୁ ଯାଇନି। ସେ ଅହମ୍ମଦାବାଦରେ ଆୟୋଜିତ କଂଗ୍ରେସ ଅଧିବେଶନରେ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନରେ ଠକାମୀ କରି ବିଜେପି ଜିତିଛି। ବିରୋଧିଙ୍କୁ ହରାଇବା ପାଇଁ ଏଭଳି କରାଯାଇଥିଲା। କେବଳ ସେତିକି ନୁହେଁ ସେ ଇଭିଏମ୍ରେ ନିର୍ବାଚନ କରାଇବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଖଡଗେ କହିଛନ୍ତି, ସାରା ଦୁନିଆ ଇଭିଏମ୍ରୁ ବାଲାଟ୍ ପେପର ଆଡକୁ ବଢୁଛି, କିନ୍ତୁ ଆମେ ଇଭିଏମ୍ ବ୍ୟବହାର କରୁଛୁ। ଏହା ହେଉଛି ଠକେଇ। ଭାରତରେ ବାଲାଟ୍ ପେପରରେ ନିର୍ବାଚନ କରିବା ଦରକାର।
ଖଡଗେ କହିଛନ୍ତି, ଆମେ ସ୍ବାଧିନତାର ଦ୍ବିତୀୟ ଲଢେଇ କରୁଛି। ପ୍ରାର୍ଥକ୍ୟ ଏହା ଯେ, ପୂର୍ବରୁ ସାମ୍ପ୍ରଦାୟୀକରଣରୁ ବିଦେଶୀଙ୍କୁ ଲାଭ ମିଳୁଥିଲା। ଏବେ ସରକାରଙ୍କୁ ଲାଭ ମିଳୁଛି। ଦେଶରେ ଏକାଧିକାର ସ୍ଥାପିତ କରାଯାଉଛି ଓ ସାଧାରଣ ଲୋକଙ୍କ ସମ୍ପତ୍ତି ଏହି ସରକାର ନିଜର ଧନୀ ବନ୍ଧୁଙ୍କୁ ହସ୍ତାନ୍ତରିତ କରୁଛନ୍ତି। ଏଭଳି କଲେ ସେ ଦିନ ଦୂର ନୁର୍ହେ ଯେତେବେଳେ ମୋଦି ଦେଶକୁ ବିକ୍ରି କରିଦେବେ। କିଛି ମିତ୍ରଙ୍କ ପାଇଁ ସାଧାରଣଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଉଛନ୍ତି ସରକାର।
ଏହି ସମୟରେ ଖଡଗେ ବାଲାଟ ପେପରେ ନିର୍ବାଚନ କରାଯିବା ନେଇ ଶାସକ ଦଳ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି।ସେ କହିଛନ୍ତି, ସରକ ଭଳିକି ଭଳି ଟେକ୍ନୋଲୋଜି ବିକଶିତ କରୁଛନ୍ତି, ଯାହାଫଳରେ ନିର୍ବାଚନରେ ତାଙ୍କୁ ଲାଭ ଓ ବିରୋଧିଙ୍କୁ କ୍ଷତି ହେଉଛି। ଗତ ୧୧ ବର୍ଷରେ ଶାସକ ଦଳ ସମ୍ବିଧାନ ଉପରେ ଲଗାତାର ଆକ୍ରମଣ କରୁଛି। ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉନି, ଯାହାକି ଲୋକତନ୍ତ୍ର ପାଇଁ ଲଜ୍ଜା। ଖଡଗେ ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ସଂସଦରେ ଚର୍ଚ୍ଚା ନେଇ କହିଛନ୍ତି, ସରକାର ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବିଳମ୍ବିତ ରାତିରେ ସଂସଦରେ ଚର୍ଚ୍ଚା କରୁଛନ୍ତି। କିନ୍ତୁ ମଣିପୁର ପ୍ରସଙ୍ଗରେ ଏଭଳି ହୋଇନି