ନୂଆଦିଲ୍ଲୀ,୨୧/୧୧: ଆଗାମୀ ଦୁଇ ବର୍ଷରେ ଇଲେକ୍ଟ୍ରିକ୍‌ ଯାନ ବା ଇଭି ଦାମ୍‌ରେ  ଆଖିଦୃଶିଆ ହ୍ରାସ ଘଟିବ । ୨୦୨୬ ସୁଦ୍ଧା ଇଭି  ବ୍ୟାଟେରି ଦର ୨୦୨୩ ତୁଳନାରେ ଅଧା ହୋଇଯିବ । ଶିଳ୍ପସଂଘ ଫିକି ପକ୍ଷରୁ ଏହି  ଅନୁମାନ କରାଯାଇଛି ।  

ଇଭି ନିର୍ମାଣରେ ୨୮ରୁ ୩୦% ଖର୍ଚ୍ଚ  ବ୍ୟାଟେରିରେ ହୋଇଥାଏ । ଗୋଲ୍‌ଡମ୍ୟାନ୍‌  ସାଚ୍‌ସର ନୂଆ ସର୍ଭେ ଅନୁସାରେ, ୨୦୨୨ରେ  ବିଶ୍ୱବ୍ୟାପୀ ଇଭି ବ୍ୟାଟେରିର ହାରାହାରି ଦର  କିଲୋୱାଟ୍‌ ପିଛା ୧୫୩ ଡଲାର ବା ପାଖାପାଖି  ୧୩ ହଜାର ଟଙ୍କା ଥିଲା । 

୨୦୨୩ରେ ଏହାର ଦାମ ୧୪୯ ଡଲାର ବା  ପାଖାପାଖି ୧୨,୫୦୦ ଟଙ୍କାକୁ ଖସିଆସିଛି ।  ୨୦୨୬ ସୁଦ୍ଧା ଦର ହ୍ରାସ ପାଇ କିଲୋୱାଟ୍‌ ପିଛା  ୮୦ ଡଲାର ବା ପାଖାପାଖି ୬,୭୦୦ ଟଙ୍କା  ହେବାର ଅନୁମାନ ରହିଛି । ୨୦୨୨ ତୁଳନାରେ  ଏହା ପ୍ରାୟ ୫୦% କମ୍‌ । ବ୍ୟାଟେରି ଦାମ ଏହି  ସ୍ତରକୁ ଆସିବା ପରେ ଇଲେକ୍ଟ୍ରିକ୍‌ କାରଗୁଡ଼ିକର  ଦାମ ପେଟ୍ରୋଲ କାର ଦର ସହ ପ୍ରାୟତଃ ସମାନ  ହୋଇଯିବ ବୋଲି ଆକଳନ କରାଯାଇଛି । 

ଦେଶରେ ଇଭିର ପ୍ରତିସ୍ଫର୍ଦ୍ଧା ବଜାୟ ରଖିବା  ପାଇଁ ବ୍ୟାଟେରି ଏବଂ ଚାର୍ଜିଂ ସେବାଗୁଡ଼ିକ  ଉପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)  କମ୍‌ କରିବାର ଆବଶ୍ୟକତା ରହିଛି । ଏହାସହିତ  ଇଭି ବିକ୍ରି ବଢ଼ାଇବା ପାଇଁ ପିଏମ୍‌ ଇ-ଡ୍ରାଇଭ୍‌  ଫଣ୍ଡ୍‌ ବି ବଢ଼ାଇବା ଦରକାର । ଶିଳ୍ପ ସଂଘ ଫିକି  ଏହାର ରାଷ୍ଟ୍ରୀୟ ସମ୍ମିଳନୀରେ ସରକାରଙ୍କ  ନିକଟରେ ଏ ଦାବି ରଖିଛି ।  

ଫିକିର ଇଲେକ୍ଟ୍ରିକ୍‌ ଭେଇକିଲ୍‌ କମିଟି  ଅଧ୍ୟକ୍ଷ ସୁଲାଜ୍ଜା ଫିରୋଦିୟା ମୋଟୱାନି କହିଛନ୍ତି  ଯେ, ଇଭି ବ୍ୟାଟେରି ଏବଂ ଚାର୍ଜିଂ ସେବାଗୁଡ଼ିକ  ଉପରେ ୧୮% ଜିଏସ୍‌ଟି ରହିଛି । ଏହାକୁ ୫% କୁ କମ୍‌ କରିବାକୁ ଆମେ ଅନୁରୋଧ କରୁଛୁ ।  ଯାହାଦ୍ୱାରା ଗ୍ରାହକଙ୍କ ପାଇଁ ବ୍ୟାଟେରି ଏବଂ ଚାର୍ଜିଂ  ସେବା ଶସ୍ତା ହୋଇଯିବ । ଫିକିର ସଭାପତି ତଥା  ମହିନ୍ଦ୍ରା ଗ୍ରୁପ୍‌ର ଏମ୍‌ଡି ତଥା ସିଇଓ ଅନୀଶ ଶାହ  କହିଛନ୍ତି ଯେ, ଇଲେକ୍ଟ୍ରିକ୍‌ ଚାରିଚକିଆ ଯାନର  ବର୍ତ୍ତମାନ ଭାରତରେ ୧.୫% ବଜାର ଅଂଶ  ରହିଛି । ଏଭଳି କ୍ଷେତ୍ରରେ ଏବେ ବି ବହୁତ  କିଛି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।  

ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ତରୁଣ କପୁର  କହିଛନ୍ତି ଯେ, ନୂଆ ଇଲେକ୍ଟ୍ରିକ୍‌ କାର ଆଣିବା  ପାଇଁ ଅଟୋମୋଟିଭ୍‌ ଶିଳ୍ପକୁ ବଡ଼ ଭୂମିକା ଗ୍ରହଣ  କରିବାର ଆବଶ୍ୟକତା ରହିଛି । ସରକାର ଟିକସ  ପ୍ରସଙ୍ଗ ସହ ସମସ୍ତ ଦିଗ ଉପରେ ବିଚାର  କରିବେ ।  ରିପୋର୍ଟରେ କୁହାଯାଇଛି ଯେ, ଯେବେଠୁ  ଆଧୁନିକ ଇଲେକ୍ଟ୍ରିକ୍‌ କାର ବଜାରକୁ ଆସିବାକୁ  ଲାଗିଲା ବ୍ୟାଟେରି ଦାମ ଲଗାତର କମୁଛି ।  ଆମେରିକା ଉର୍ଜା ବିଭାଗ ଅନୁସାରେ, ଟେସ୍‌ଲା  ରୋଡ୍‌ଷ୍ଟର୍‌ର ଦାମ ୧୫ ବର୍ଷ ପୂର୍ବେ ଯେତିକି  ଥିଲା ତାହା ତୁଳନାରେ ପ୍ରାୟ ୯୦% କମ୍‌  ହୋଇଯାଇଛି ।  

ସର୍ବେକ୍ଷଣରେ ସାମିଲ ବିଶ୍ଳେଷକମାନଙ୍କ  ଅନୁସାରେ, ସେଲ୍‌-ଟୁ-ପ୍ୟାକ୍‌ ଟେକ୍ନୋଲୋଜିରେ  କମ୍‌ ବ୍ୟାଟେରି ମଡ୍ୟୁଲ୍ସର ଆବଶ୍ୟକତା ପଡ଼ିଥାଏ । ଏଥିରେ କେବଳ ବ୍ୟାଟେରି ପ୍ୟାକ୍‌  ବାବଦ ଖର୍ଚ୍ଚ କମ୍‌ ହୋଇ ନ ଥାଏ ବରଂ ଏନର୍ଜି  ଡେନ୍‌ସିଟି ବି ୩୦% ପର୍ଯ୍ୟନ୍ତ ବଢ଼ିଯାଏ । ଏହାଦ୍ୱାରା ବ୍ୟାଟେରିର ଆକାର କମ୍‌ ରଖିବାରେ  ସହାୟତା ମିଳିଥାଏ । ବ୍ୟାଟେରି ଉତ୍ପାଦନରେ ଲିଥିୟମ, କୋବାଲ୍ଟ  ଭଳି କଞ୍ଚାମାଲର ବ୍ୟବହାର ହୋଇଥାଏ । ୨୦୨୨  ପର୍ଯ୍ୟନ୍ତ ଏହା ମହଙ୍ଗା ଥିଲା । ୨୦୩୦ ସୁଦ୍ଧା  ଏହି ହ୍ରାସ ଜାରି ରହିପାରେ । ଏହାସହିତ  ବ୍ୟାଟେରି ଉତ୍ପାଦନ ବାବଦ ଖର୍ଚ୍ଚ ପ୍ରାୟ ୪୦%  କମ୍‌ ହୋଇଯିବ ବୋଲି ଅନୁମାନ କରାଯାଇଛି ।